ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ୩.୪୨ଲକ୍ଷ

ନୂଆଦିଲ୍ଲୀ : ଶୁକ୍ରବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ୩,୪୨,୭୫୬ । ଏପର୍ଯ୍ୟନ୍ତ ୬.୩୫ ଲକ୍ଷ ବା ଶତକଡା ୬୩.୩୩ ଭାଗ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଭାରତ ପୃଥିବୀର ଦ୍ଵିତୀୟ ସର୍ବାଧିକ ଜନବହୁଳ ଦେଶ ଓ ଏହାର ଲୋକସଂଖ୍ୟା ୧୩୫ କୋଟି । ସେ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ୧ ନିୟୁତରେ ୭୧୭.୪ । ପୃଥିବୀର ଅନ୍ୟ ଦେଶ ବିଶେଷକରି ୟୁରୋପୀୟ ଦେଶ ତୁଳନାରେ ଏହା ୪ ରୁ ୮ ଗୁଣ କମ । ଦେଶରେ ୧ ନିୟୁତରେ ମୃତ୍ୟୁ ହାର ୧୮.୬ ଯାହାକି ବିଶ୍ଵରେ ସବୁଠାରୁ କମ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଚଳା ଯାଉଥିବା ମିଳିତ ଅଭିଯାନରେ ଘରକୁ ଘର ସର୍ଭେ, ଆକ୍ରାନ୍ତ ଚିହ୍ନଟ, ଆବଦ୍ଧ ଓ ବଫର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର, ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ଓ ସମୟୋପଯୋଗୀ ନିଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଅତି କମ ଲକ୍ଷଣ, କମ ଲକ୍ଷଣ ଓ ଖୁବ ବେଶୀ ଲକ୍ଷଣ ଭଳି ତିନୋଟି ଶ୍ରେଣୀରେ ରୋଗୀମାନଙ୍କୁ ବିଭକ୍ତ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ଚିକିତ୍ସା କାର୍ଯ୍ୟ ଜାରି ରହିଛି । ଶତକଡା ୮୦ ଭାଗ ଲକ୍ଷଣ ବିହୀନ ଓ ଅତି କମ ଲକ୍ଷଣ ଥିବା ରୋଗୀମାନଙ୍କୁ ଘରୋଇ ଏକାନ୍ତବାସରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଉଛି । ସ୍ୱଳ୍ପ ଲକ୍ଷଣ ଓ ଅଧିକ ଲକ୍ଷଣ ଥିବା ରୋଗୀମାନଙ୍କୁ କୋଭିଡ ଗୃହ ବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅତି ଅଳ୍ପ ଏବଂ ଲକ୍ଷଣ ବିହୀନ ରୋଗୀମାନଙ୍କ ଘରେ ରହି ଚିକିତ୍ସିତ ହେଉଥିବାରୁ ହସ୍ପିଟାଲ ଉପରେ ଆଉ ସେମାନେ ବୋଝ ହେଉନାହାନ୍ତି । ଏହାଦ୍ଵାରା ସ୍ୱଳ୍ପ ଓ ଅତ୍ୟଧିକ ଲକ୍ଷଣ ଥିବା ରୋଗୀମାନଙ୍କ ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦିଆଯାଇପାରୁଛି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଶତକଡା ୧.୯୪ରୁ ମଧ୍ୟ କମ ମାମଲା ଆଇସିୟୁରେ ଥିବା ବେଳେ ୦.୩୫ ମାମଲା ଭେଣ୍ଟିଲେଟର ଓ ୨.୮୧ ଭାଗ ମାମଲା ଅମ୍ଳଜାନ ସହାୟକ ଶଯ୍ୟା ଜରିଆରେ ଚିକିତ୍ସା କରାଯାଉଛି । ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ଗୁଣାତ୍ମକ ଉପଚାର ପାଇଁ ଦେଶରେ ସମସ୍ତ ପଦକ୍ଷେପ ନିଆଯାଇଛି । ଏହି ମିଳିତ ଉଦ୍ୟମ ଯୋଗୁଁ ଆଜି କୋଭିଡ ହସ୍ପିଟାଲ ଭିତ୍ତିଭୂମି ମଧ୍ୟ ସୁଦୃଢ ହୋଇପାରିଛି । ଦେଶରେ ୧୩୮୩ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ରହିଥିବା ବେଳେ ୩୧୦୭ଟି ସ୍ଵାସ୍ଥ୍ୟସେବା କେନ୍ଦ୍ର ଓ ୧୦,୩୮୨ଟି କୋଭିଡ ସୁଧାର ଗୃହ ରହିଛି । ଏସମସ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ମୋଟ ୪୬,୬୭୩ ଆଇସିୟୁ ଶଯ୍ୟା, ୨୧,୮୪୮ ଭେଣ୍ଟିଲେଟର ଉପଲବ୍ଧ ଅଛି । ଏନ-୯୫ ମାସ୍କ ଏବଂ ପିପିଇ କିଟ୍ସର କୌଣସି ଅଭାବ ନାହିଁ । କେନ୍ଦ୍ର ୨୩୫.୫୮ ଲକ୍ଷ ଏନ-୯୫ ମାସ୍କ ଏବଂ ୧୨୪.୨୬ ଲକ୍ଷ ପିପିଇ କିଟ୍ସ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ