ଦେଶରେ ବନ୍ୟା ସ୍ଥିତିର ସାରାଂଶ ଏବଂ ପରାମର୍ଶ
ନୂଆ ଦିଲ୍ଲୀ:ସୋମବାର ସକାଳେ ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଂଗର ହିମାଳୟ ଉପାନ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିଭଳି ମଧ୍ୟମହାରାଷ୍ଟ୍ର ଆସାମ, କୋଙ୍କଣ ଓ ଗୋଆର କେତେକ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ପୂର୍ବ ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ଉପକୂଳବର୍ତ୍ତୀ କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି । ଦେଶର ୨୦ଟି ସ୍ଥାନରେ ବନ୍ୟା ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେଥିମଧ୍ୟରେ ବିହାରରୁ ୭, ଉତ୍ତର ପ୍ରଦେଶର ୪, ଓଡିଶା ଓ ମହାରାଷ୍ଟ୍ରରେ ୨ ଏବଂ ଆସାମ, ଗୁଜରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ ଓ ପଶ୍ଚିମବଂଗରେ ବନ୍ୟା ପରିସ୍ଥିତି ମଧ୍ୟ ଗୁରୁତର ଅଛି । ଏହି ୨୦ଟି ସ୍ଥାନରେ ନଦୀଗୁଡିକ ବିପଦ ସଂକେତଠାରୁ ବହୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ଅତି ଜଟିଳ ରହିଛି । ଏହାଛଡା ବିହାରର ୧୪, ଉତ୍ତର ପ୍ରଦେଶର ୬, ଓଡିଶା ଓ ଆସାମର ୨ଟି ଲେଖାଏଁ ସ୍ଥାନରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେସବୁ ସ୍ଥାନରେ ବନ୍ୟା ପରିସ୍ଥିତି ଭଲ ସ୍ଥିତିରେ ନାହିଁ । ଦେଶର ୩୦ଟି ବ୍ୟାରେଜ ଓ ଡ୍ୟାମ ପାଇଁ ଜଳ ପ୍ରବେଶ ସଂପର୍କରେ ପ୍ରାକ୍ ସୂଚନା ଦିଆଯାଇଛି । ସେଥିମଧ୍ୟରେ ମଧ୍ୟପ୍ରଦେଶର ୮, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ୩ଟି ଲେଖାଏଁ, ଆନ୍ଧ୍ର ଓ ଝାଡଖଣ୍ଡ, ପଶ୍ଚିମବଂଗ ଓ ତାମିଲନାଡୁର ୨ଟି ଲେଖାଏଁ ତଥା ଓଡିଶା ଓ ଗୁଜରାଟର ଗୋଟିଏ ଲେଖାଏଁ ଜଳଭଣ୍ଡାର ପାଇଁ ଏହିସବୁ ସୂଚନା ଉପଲବ୍ଧ ।ଗୁଜରାଟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବୃଷ୍ଟିପାତ କ୍ରମଶଃ ହ୍ରାସ ପାଇବ । ସେହିଭଳି ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତର କୋଙ୍କଣ ଏବଂ ରାଜସ୍ଥାନରେ ଅଗଷ୍ଟ ୩୧ ତାରିଖରେ ପ୍ରବଳ ବର୍ଷା ହୋଇ କ୍ରମଶଃ ଏହା ହ୍ରାସ ପାଇବ । ଏହାଛଡା ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ ହିମାଳୟ ଅଞ୍ଚଳର କେତେକ ସ୍ଥାନରେ ସେପ୍ଟେମ୍ବର ୧ରୁ ୩ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ହେବାର ସମ୍ଭାବନା ରହିଛି ।ବର୍ଷା କ୍ରମଶଃ ହ୍ରାସ ପାଇଥିବାରୁ ଛତିଶଗଡ ଓ ଓଡିଶାରେ ପ୍ରବାହିତ ମହାନଦୀ ଓ ତାହାର ଉପନଦୀଗୁଡିକର ଜଳସ୍ତର କମିବ ବୋଲି ଆଶା କରାଯାଉଛି । ଏହାଫଳରେ ଏହି ନଦୀ ପ୍ରଣାଳୀରେ ଥିବା ଜଳଭଣ୍ଡାରଗୁଡିକୁ କମ୍ ପାଣି ପ୍ରବେଶ କରିବ । ତେବେ ଓଡିଶାର ବାଲେଶ୍ୱର, ସମ୍ବଲପୁର, ଭଦ୍ରକ, ଯାଜପୁର, କଟକ, ଅନଗୁଳ, ମୟୂରଭଞ୍ଜ ଓ କେନ୍ଦୁଝର ତଥା ଛତିଶଗଡର କୋରବା, ଧନତାରୀ, ରାୟପୁର, ମହାସମୁନ୍ଦ ଏବଂ ଚମ୍ପା ଜିଲାର ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି ।
ମଧ୍ୟପ୍ରଦେଶରେ ପ୍ରବାହିତ ନର୍ମଦା, ତାପ୍ତି, ଚମ୍ବଲ, ମହାରାଷ୍ଟ୍ରର ୱେନଗଙ୍ଗା ଓ ୱାର୍ଦ୍ଧା ନଦୀର ଉପର ମୁଣ୍ଡରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସେସବୁ ଅଞ୍ଚଳରେ ବର୍ଷା ପରିମାଣ ହ୍ରାସ ପାଇଛି । ଏହିସବୁ ଅଞ୍ଚଳରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନ ଥିବାରୁ ସେସବୁ ନଦୀରେ ବନ୍ୟା ପରିସ୍ଥିତିର ଉନ୍ନତି ଘଟିବ । ମଧ୍ୟପ୍ରଦେଶ ଓ ପୂର୍ବ ରାଜସ୍ଥାନରେ ପ୍ରବାହିତ ଚମ୍ବଲ ଏବଂ ଏହାର ଉପନଦୀଗୁଡିକ ସହିତ ମାହିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ଏହିସବୁ ନଦୀର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଂକା ରହିଛି । ମଧ୍ୟପ୍ରଦେଶରେ ଥିବା ଗାନ୍ଧୀସାଗର ଡ୍ୟାମ୍, ସୋମକମଳା ଅମ୍ବା ଡ୍ୟାମ୍, କାଳୀସିନ୍ଧି ଡ୍ୟାମ୍, ମାହି ବଜାଜ ସାଗର ଡ୍ୟାମ୍, ପଞ୍ଚନା ଡ୍ୟାମ୍ ଓ ରାଜସ୍ଥାନର ରାଣାପ୍ରତାପ ସାଗର ଡ୍ୟାମ୍ ଓ କୋଟା ବ୍ୟାରେଜକୁ ବିପୁଳ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ରହିଛି । ସେଥିପାଇଁ ମଧ୍ୟପ୍ରଦେଶର ଧର୍, ମଣ୍ଡାସୋର, ରାଜସ୍ଥାନର ଟୋଙ୍କ୍, ବନ୍ସୁଆରା, ଉଦୟପୁର, ଝାଲୁୱାର, ବରନ୍, ଚିତ୍ତୋଡଗଡ଼, କାରାଉଲି, ବୁଣ୍ଡି, ଢୋଲପୁର ଓ କୋଟା ଜିଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଗୁଜରାଟରେ ନର୍ମଦା, ମାହି, ସାବରମତୀ ଏବଂ ଗୋଆ ଓ କୋଙ୍କଣର ସବୁ ଆରବ ସାଗରକୁ ପ୍ରବାହିତ ହେଉଥିବା ନଦୀ ଗତ ୩ ଦିନଧରି ପ୍ରବଳ ବର୍ଷା ଯୋଗୁଁ ଆଗାମୀ ୩ ଦିନ ପର୍ୟ୍ୟନ୍ତ ବନ୍ୟାପ୍ଲାବିତ ହେବ । ଏସବୁ ନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗୁଜରାଟର କଡ଼ନା, ଉକାଇ, ପାନମ୍, ମଧୁବନ, ସର୍ଦ୍ଦାର ସରୋବର ଓ ଧାରୋହି ଡ୍ୟାମ୍ ମଧ୍ୟକୁ ଅଧିକ ବନ୍ୟାଜଳ ପ୍ରବେଶ କରିବ । ଏଥିପାଇଁ ନର୍ମଦା, ଭାରୁଚ, ମହୀସାଗର, ତାପି, ୱାଲସାଦ୍, ପଞ୍ଚମହଲ୍, ଅହମ୍ମଦାବାଦ, ବନଶକଣ୍ଠା ଏବଂ ମେହଷଣା ଜିଲାରେ ସମ୍ଭାବ ବନ୍ୟା ପରିସ୍ଥିତି ନେଇ ସତର୍କ ରହିବାକୁ କର୍ତ୍ତୃପକ୍ଷଙ୍କୁ ସଜାଗ କରିଦିଆଯାଇଛି ।
ଉପରଲିଖିତ ନଦୀ ବ୍ୟବସ୍ଥା ଏବଂ ସଂପୃକ୍ତ ଜିଲାଗୁଡିକରେ ଆସନ୍ତା ୩-୪ ଦିନ ପର୍ୟ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ । ଆବଶ୍ୟକ ପଡିଲେ ଯେକୌଣସି ସମୟରେ ଏସବୁ ଜଳଭଣ୍ଡାରରୁ କର୍ଭରୁଲ୍ ଓ ଏସ୍ଓପି ଅନୁସାରେ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରିକରି ପାଣି ଛଡାଯାଇପାରେ । ଏହିସବୁ ନଦୀର ଅବବାହିକାର ଥିବା ରେଳ, ସଡ଼କପଥ ଓ ସେତୁଗୁଡିକ ଉପରେ ମଧ୍ୟ ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ତୀକ୍ଷ୍ନ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ରିଲିଫ ଶିବିରଗୁଡିକରେ ଲୋକେ ଯେପରି କୋଭିଡ୍ ନିୟମ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ଜିଲା ପ୍ରଶାସନଗୁଡିକୁ କୁହାଯାଇଛି ।


