ଦେଶର ପ୍ରଥମ ଦୂରଗାମୀ ସିଏନ୍ଜି ବସ୍ର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍ଜି ବସର ଶୁଭାରମ୍ଭ କରିବା ପରେ ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ ଆଇଜିଏଲ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ ହେଉଥିବା ସିଏନଜି ସିଲିଣ୍ଡରରେ ଥରେ ମାତ୍ର ସିଏନଜି ଭରିଲେ ବସଟି ୧ ହଜାର କିମି ପର୍ଯ୍ୟନ୍ତ ଯାତାୟତ କରିପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ୫ଟି ଦୂରଗାମୀ ସିଏନଜି ବସ୍ ଯାତାୟତ କରିବ । ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଏଭଳି ବସ୍ ଯାତାୟତ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରଦୂଷଣରୁ ରକ୍ଷା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ସବୁ ପ୍ରକାର ଇନ୍ଧନକୁ ଆହୁରି ସ୍ୱଚ୍ଛ କରାଯିବା ନେଇ ଉଦ୍ୟମ ଜାରୀ ରହିଛି । ଡିଟିସି ଏବଂ ଆଇଓସିର ମିଳିତ ଉଦ୍ୟମରେ ସିଏନଜି ଓ ହାଇଡ୍ରୋଜେନ୍କୁ ମିଶ୍ରଣ କରି ଆହୁରି ବିଶୁଦ୍ଧରୁ ବିଶୁଦ୍ଧ ଇନ୍ଧନ ତିଆରି କରାଯିବ । ଅନ୍ତତଃ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସହରରେ ଏହାର ଶୁଭାରମ୍ଭ କରାଯିବ । ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଜୈବ ଇନ୍ଧନକୁ ଅଧିକ ପ୍ରାଥମିକତା ଦେଉଛନ୍ତି ଓ ଖୁବ ଶୀଘ୍ର ଡିଜିଟାଇଲାଇଜେସନ ବା ମୋବାଇଲ ମାଧ୍ୟମରେ ପେଟ୍ରୋଲ, ଏଲପିଜି, ସିଏନଜି ପହଁଚାଇବା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ।