ଦେଶୀରନ୍ଧା ମଦ ଜବତ, ୭ ମହିଳାଙ୍କ ସମେତ ୯ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ସଂସ୍ଥା, ଗଜପତି ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢଉ ବିଭିନ୍ନ ସ୍ଥାନରେ କରାଯାଇଥିଲା । ଏଥିରେ ବ୍ୟାପକ ପରିମାଣର ଚୋରା ଦେଶୀ ମଦ ଜବତ କରାଯିବା ସହ ବହୁ ପରିମାଣର ପୋଚ ନଷ୍ଟକରାଯାଇଥିବାର ଜଣାପଡିଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ଗତକାଲି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଗୁମ୍ମା ବ୍ଲକର ନେରେଡିଗୁଡା ଗ୍ରାମ ଆଦି ଠାରେ ଅତର୍କିତ ଚଢାଉ କରାଯାଇ ମୋଟ ୭ହଜାର କେଜି ଗୁଡ ଓ ମହୁଲ ମିଶ୍ରିତ ପୋଚ ସମେତ ୬୬୬ଲିଟର ବେଆଇନ୍ ଭାବେ ପ୍ରସ୍ତୁତ ହାତ ରନ୍ଧା ମହୁଲି ମଦ ଜବତ ସହ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ସହରର ପି.ବାଲାଜି, ପି.ଜଗଦୀଶ୍ୱର, କେ.ବୁଟୁ, ପି. ଜନ୍ତାମ୍ମା, ଜି.ଜ୍ୟୋତିଆମ୍ମା, ପି. ସରସାଆମ୍ମା, ପି. ଅଲିରାମୁଲୁଆମ୍ମା, ଡି.ଜ୍ୟୋତି, ଏମ୍. ସରୋଜିନି ଏବଂ ଫେରାର ଥିବା ଅଭିଯୁକ୍ତ ହେଲେ ଡିଏସ୍ ଆନନ୍ଦ ରାଓ । ଗିରଫ ୯ଜଣଙ୍କ ମଧ୍ୟରୁ ୭ଜଣ ମହିଳା ବୋଲି ମଧ୍ୟ ଜଣାପଡିଛି । ସେହିପରି ଗୁମ୍ମା ବ୍ଲକର ନେରେଡିଗୁଡା ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ଚଢଉ କରାଯାଇ ଗୁଡ ଓ ମହୁଲ ମିଶ୍ରିତ ପୋଚକୁ ଜବତ କରାଯାଇ ନଷ୍ଟ କରାଯିବା ସହ ଏଥିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା ଟିଣଡବା, ପ୍ଲାଷ୍ଟିକ ଡ୍ରମ ଆଦିକୁ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ସଂସ୍ଥାର ଡେପୁଟି ସୁପରିଟେଣ୍ଡେଣ୍ଟକେ.ସେଠୀ, ଇନ୍ସିପେକ୍ଟର ହୃଦୟା ଚନ୍ଦ୍ର ସାମନ୍ତ ପ୍ରମୁଖଙ୍କ ସମେତ ଗଜପତି ଜିଲ୍ଲା ଅବକାରୀ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତଥିଲେ ।


