ଧାନକଟା ମେସିନିକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଉତ୍ତେଜନା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଧାନ କାଟିବାକୁ ଯାଉଥିବା ଏକ ଧାନକଟା ମେସିନିକୁ ନଛାଡିବାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅମୃତପୁର ଗ୍ରାମର ଯୁଦ୍ଧିଷ୍ଠିର ଦାସ ତାଙ୍କ ଧନ ବିଲକୁ ମେସିନି ନେଇ ଯାଉଥିବାବେଳେ ଆଇତିପୁର ଦାସ ସାହିର କିଛି ପରିବାର ପୁର୍ବ ବିବାଦକୁ ନଇ ଧାନକଟା ମେସିନିକୁ ତାଙ୍କ ରାସ୍ତାଦେଇ ଛାଡି ନଥିଲେ । ଏପରିକି ଧାନ କିଆରୀରେ ନିଆଁ ଲଗାଇଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାକୁନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବାକବିତଣ୍ଡା ହେବା ସହ ପରଷ୍ପରକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଅମୃତପୁର ଗ୍ରାମର କିଛି ବ୍ୟକ୍ତି ଆଇତିପୁର ଗ୍ରାମର ଦାସ ସାହିର ଲୋକଙ୍କ ଭିତରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଗୋଷ୍ଠୀ ସଂଘର୍ଷ ଆଡକୁ ଯାଉଥିବାବେଳେ ନନ୍ଦିପଦା ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଛି । ରିପୋର୍ଟ ଲେଖା ଯିବାପର୍ଯ୍ୟନ୍ତ ବିବାଦର କୌଣସି ସମାଧାନ ହୋଇନଥିବାବେଳେ ଉଭୟ ଗ୍ରାମରେ ଉତ୍ତେଜନା ଲାଗିରହିଥିବା ଜଣାଯାଇଛି । ପୁର୍ବରୁ ଅମୃତପୁର ଜଂଗଲ ସୁରକ୍ଷାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଥାନାରେ ମଧ୍ୟ ମାମଲା ଚାଲୁ ରହିଥିବା ଜଣାଯାଇଛି ।


