ଧାନମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦରେ ଆରଆଇ ଓ କୃଷି ସମବାୟ ସମିତି ଅଫିସରେ ତାଲା ପକାଇଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଧାନମଣ୍ଡି ଗୁଡିକରେ ଅବ୍ୟବସ୍ଥା ଜାରି ରହିଛି । ଏହାର ପ୍ରତିବାଦରେ ଚାଷୀମାନେ ଏକତ୍ରିତ ହୋଇ ଆରଆଇ ଅଫିସ ଓ ପ୍ରାଥମିକ କୃଷି ସମବାୟ ସମିତି ଅଫିସରେ ତାଲା ପକାଇ ଥିବା ସୂଚନା ମିଳିଛି. ଧାନକ୍ରୟରେ ରାଜ୍ୟ ସରକାରଙ୍କ ଖାମଖିଆଲି ନିତୀ ସାଙ୍ଗକୁ ପ୍ରଶାସନର ଉଦାସୀନତା ଯୋଗୁଁ ମଣ୍ଡିରେ ଧାନ କ୍ରୟ କରାଯାଉ ନଥିବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି । ବାରମ୍ବାର ଧାନ କ୍ରୟ ପାଇଁ ପ୍ରଶାସନକୁ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଶେଷରେ ବିଭିନ୍ନ ପ୍ରକାରର ପ୍ରତିବାଦ ପନ୍ଥା ଅବଲମ୍ବନ କରୁଥିବାର ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବଡକତ୍ତୁରୁ ଗ୍ରାମାଞ୍ଚଳର ଚାଷୀମାନଙ୍କ ଧାନ ଆଜି ପର୍ଯ୍ୟନ୍ତ ବିକ୍ରୟ ହୋଇପାରୁ ନଥିବାକୁ ନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଏବଂ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ତାଲାପକାଇ ଦେଇଥିବାର ଦେଖିବାକୁ ମିଳିଛି । ଫଳରେ ଉଲ୍ଲେଖିତ କାର୍ଯ୍ୟାଳୟ ଗୁଡିକରେ ତାଲା ଝୁଲୁଛି । ଧାନକ୍ରୟ ନ କରିବା ପର୍ଯ୍ୟନ୍ତ ଏପରି ତାଲା ପକାଇ ରଖିବୁ ବୋଲି କହିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି । ଗତକାଲି ଏହି ଦୁଇ ଗୋଟି କାର୍ଯ୍ୟାଳୟରେ କୌଣସି କାମ ହୋଇନଥିବା ବେଳେ ଖବର ପାଇ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଓ ଯୋଗାଣ ବିଭାଗର ଅଧିକାରୀ ପ୍ରମୁଖ ବଡକତ୍ତୁରୁ ଅଞ୍ଚଳର ଚାଷୀମାନଙ୍କୁ ତାଲା ଖୋଲିବା ପାଇଁ ବହୁ ବୁଝାସୁଝା କରିଥିଲେ । ହେଲେ ଚାଷୀମାନେ ଅଧିକାରୀଗଣଙ୍କୁ ଧାନ ବିକ୍ରୟ ନ ହେବା ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି । ଏନେଇ ଚାଷୀମାନେ କହିଛନ୍ତି ଯେ ମାର୍ଚ୍ଚ ମାସ ବିତିଯାଇଛି । ଧାନ ନ ସରିବା ଯୋଗୁଁ ବର୍ଷ ତମାମ ଖଟି ଫସଲ ଆଦାୟ କଲେ ସୁଦ୍ଧା କୌଣସି ଫଳ ମିଳୁନାହିଁ. ଫଳରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଧାରକରଜ ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଚିନ୍ତିତ ଆବସ୍ଥାରେ ରହିଛୁ ବୋଲି ଚାଷୀମାନେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରି କହିଛନ୍ତିଯେ, ଧାନମଣ୍ଡିରେ ବିକ୍ରୟ ପାଇଁ ଜାନୁୟାରୀ ମାସରୁ ଟୋକେନ୍ ପାଇଥିଲେ ସୁଦ୍ଧା ମଣ୍ଡିରେ ଧାନ କ୍ରୟ କରାଯାଉ ନାହିଁ । ଏନେଇ ଦୁଇ ଦୁଇ ଥର ପ୍ରତିବାଦ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ଧାନ କ୍ରୟ ହୋଇନାହିଁ। ଏଭଳି ଦାବିରେ ଅଟଳ ରହି ଗତକାଲି ଆରଆଇ ଓ ସମବାୟ ସମିତି ଅଫିସରୁ ଚାଷୀମାନେ ତାଲା ଖୋଲିନଥିଲେ. ଆଜି ପ୍ରଶାସନର ବହୁ ଅନୁରୋଧ ପରେ ଚାଷୀମାନେ ଆରଆଇ ଅଫିସରୁ ତାଲା ଖୋଲି ଥିବାବେଳେ କୃଷି ସମବାୟ ସମିତି ଅଫିସରୁ ତାଲା ଖୋଲି ନଥିବା ସୂଚନା ମିଳିଛି. ଚାଷୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସମବାୟ ସମିତି ଅଫିସରୁ ତାଲା ହଟିବ ନାହିଁ ବୋଲି ଚାଷୀମାନେ ଜିଦରେ ଅଟଳ ରହିଛନ୍ତି.