ଧାନର ଗୁଣାତ୍ମକ ମାନ ଉପରେ ପ୍ରଶିକ୍ଷଣ ଶିବିର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ସହାୟତାରେ ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ସମବାୟ ସମିତି ଆନୁକୁଲ୍ୟରେ ଧାନର ଗୁଣାତ୍ମକ ମାନ ଉପରେ ପ୍ରଶିକ୍ଷଣ ଶବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ କୋରୁଅ, ଓଷକଣା, ଡେରିକି ପଂଚାୟତର ଚାଷୀମାନେ ଯୋଗ ଦେଇଥିଲେ । ସମିତି ସଂପାଦକ ବାପୁଜୀ କୁମାର ଜେନାଙ୍କ ଅଧ୍ୟକ୍ଷତାର ଆୟୋଜିତ ପ୍ରଶିକ୍ଷଣ ଶିବିରରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପଙ୍କଜ କୁମାର ସ୍ୱାଇଁ, ସମବାୟ ସମିତିର ସଭାପତି ପ୍ରକାଶ ଜେନା ଯୋଗ ଦେଇଥଲେ । ଏହି ଶିବିରରେ ଚଳିତ ଖରିଫି ଋତୁରେ ଚାଷୀମାନେ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଆଣିବା ସମୟରେ ଧାନର ଗୁଣାତ୍ମକ ମାନ କିପରି ରହିବ ସେ ବିଷୟରେ ଉପସ୍ଥିତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ସଚେତନ କରାଯାଇଥିଲା । ଧାନର ଗୁଣାତ୍ମକ ମାନ ଠିକ ନ ରହିଲେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିବନାହିଁ । ତେଣୁ ଧାନର ଗୁଣାତ୍ମକ ମାନ ଉପରେ ସମସ୍ତ ଚାଷୀ ସଚେତନ ହୋଇ ମଣ୍ଡିକୁ ଧାନ ଆଣିବାକୁ ଶିବିରରେ ଯୋଗ ଦେଇଥିବା ଅତିଥିମାନେ ପରାମର୍ଶ ଦେଇଥିଲେ ।