ଧାନ ଗଜା ଦେଖି ଅରଖକୁଦ ଗ୍ରାମର ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତ ଅରଖକୁଦ ଗ୍ରାମର ଧର୍ମାନନ୍ଦ ନାୟକ (୬୦ ବର୍ଷ)ଙ୍କର ଧାନ ଗଜା ଦେଖି ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଓ ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି । ପଡୋଶୀଙ୍କ ସୂଚନା ମୁତାବକ ରବିବାର ସକାଳ ସମୟରେ ଧର୍ମାନନ୍ଦ ଜମିକୁ ଧାନ କାଟିବା ପାଇଁ ଯାଇଥିଲେ । ଧାନ ଜମିରେ ପାଣି ଥିବାରୁ ଧାନ କେଣ୍ଡା ସବୁ ପାଣିରେ ପଡି ଗଜା ହୋଇଯାଇଥିଲା । ଗଜା ଧାନ ଦେଖି ସେ ସେଠାରେ ହଠାତ ଅସୁସ୍ଥ ହୋଇ ପଡି ଛଟପଟ ହେଉଥିଲେ । ନିକଟରେ ଥିବା ଚାଷ ଜମିରେ କାର୍ଯ୍ୟ କରୁଥିବା ଲୋକ ତାଙ୍କୁ ଦେଖି ଉଦ୍ଧାର କରି ଘରକୁ ଆଣିଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ଆମ୍ବୁଲାନ୍ସ ପହଂଚିବା ବେଳକୁ ଧର୍ମାନନ୍ଦଙ୍କର ମୃତ୍ୟୁ ହୋଇସାରିଥିଲା । ଧର୍ମାନନ୍ଦ ଗ୍ରାମର ସ୍ୱୟଂ ସହାୟୀକା ଗୋଷ୍ଠୀରୁ ୧ଲକ୍ଷ ଟଙ୍କା କରଜ କରି ନିଜର ୨ ଏକର ସମେତ କିଛି ଭାଗ ଚାଷ ମଧ୍ୟ କରିଥିଲେ । ଗତ ଲଘୁଚାପ ବର୍ଷାରେ ଧାନ କ୍ଷତି ହେବାର ଦେଖି ସେ ମନସ୍ତାପରେ ରହୁଥିଲେ । କିପରି ଧାର କରଜ ସୁଝିବେ ସେଥିପାଇଁ ସେ ବିବ୍ରତ ଥିବା ପଡୋଶୀ ମାନେ କହିଛନ୍ତି । ଧର୍ମାନନ୍ଦଙ୍କର ୨ ପୁଅ ବାହାରେ ରହୁଥିବା ବେଳେ ଚାଷରୁ ଯାହା ରୋଜଗାର କରନ୍ତି ସେ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । ଘରେ ତାଙ୍କର ବିଧବା ପତ୍ନୀ ରହିଥିବା ବେଳେ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ