ଧାରଣାର ଚେତାବନୀ ଦେଲେ ସ୍ଥାନୀୟ ଗ୍ରାମବାସୀ
ଯୋଡ଼ା, (ଯୁଗାବ୍ଦ ନ୍ୟୁଜ୍ ):କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଦେଓଝରସ୍ଥିତ ଟାଟାଷ୍ଟିଲ କମ୍ପାନୀ ସ୍ଥାନୀୟ ଗ୍ରାମବାସୀଙ୍କ ଦାବି ପୁରଣ ନକଲେ ଧାରଣା ଦେବାର ଚେତାବନୀ ଦେଇ ଗ୍ରାମବାସୀମାନେ ଏକ ଲିଖିତ ଅଭିଯୋଗ ପତ୍ର ସୋମବାର ଟାଟାକମ୍ପାନୀର ନୂଆମୁଣ୍ଡିସ୍ଥିତ ଜି.ଏମ ଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଦେଓଝରସ୍ଥିତ ଟାଟାଷ୍ଟିଲର କାଟାମାଟି ଲୌହ ଖଣିର ଗ୍ରାମସଭା ତା ୦୯/୧୧/୨୦୧୬ ରିଖରେ ହୋଇଥିଲା । ତା ପୂର୍ବ ଦିନ ଅର୍ଥାତ ତା ୦୮/୧୧/୨୦୧୬ ରିଖରେ ଅଂଚଳବାସୀଙ୍କ ବିଭିନ୍ନ ଦାବି ପୁରଣ ପାଇଁ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଥିଲା । ଉକ୍ତ ଚୁକ୍ତିନାମାରେ ସ୍ଥାନୀୟ ନିଯୁକ୍ତି, ପରିବହନ କାର୍ଯ୍ୟ, ସ୍ଥାନୀୟ ଅଂଚଳର ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ସମସ୍ୟାର ସମାଧାନ ପାଇଁ ଦେଓଝର ଗ୍ରାମ ପନଚାୟତବାସୀ ଦାବି କରିଥିଲେ । କମ୍ପାନୀ ପକ୍ଷରୁ ଉକ୍ତ ଦାବି ଗୁଡିକ ପୁରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଏନେଇ ଗ୍ରାମର ମୁଖ୍ୟ ପ୍ରତିନିଧିଙ୍କ ସହ ଟାଟା କମ୍ପାନୀ ଏକ ଆଲୋଚନା ବୈଠକ କରାଯିବାର ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ କମ୍ପାନୀ କର୍ତୁପକ୍ଷ ଉକ୍ତ ଦାବି ପୁରଣ କରିନାହିଁ କି ଏବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଗ୍ରାମବାସୀମାନେ ସୋମବାର ଉକ୍ତ ଲିଖିତ ଅଭିଯୋଗ ପତ୍ର କମ୍ପାନୀ କର୍ତୁପକ୍ଷଙ୍କୁ ଦେଇଥିବା ଗ୍ରାମର ପ୍ରଦୀପ ପଟ୍ଟନାୟକ, ରାଜୁ ପାତ୍ର, ରଞ୍ଜନ ପିଙ୍ଗୁଆ, କ୍ରିସନ ମୁଣ୍ଡା, ଗୁରୁ ଚରଣ ମହାନ୍ତ, ଲକ୍ଷ୍ମଣ ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରରେ ୭ଦିନ ମଧ୍ୟରେ କମ୍ପାନୀ କର୍ତୁପକ୍ଷ ଗ୍ରାମବାସୀଙ୍କ ଉକ୍ତ ଦାବି ପୁରଣ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା ନକଲେ ସପ୍ତମ ଦିନଠାରୁ ଟାଟା କମ୍ପାନୀର ମୁଖ୍ୟ ଗେଟ୍ ସମୁଖରେ ଧାରଣା ଦେବେ ଏବଂ ଅଭିଯୋଗପତ୍ର ଦେବାର ୧୪ ଦିନ ମଧ୍ୟରେ ଦାବି ପୁରଣ ନହେଲେ କମ୍ପାନୀର ସମସ୍ତ ପରିବହନ କାର୍ଯ୍ୟ କୁ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଟାଟାଷ୍ଟିଲ କମ୍ପାନୀର କର୍ପୋରେଟ କମ୍ୟୁନିକେସନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କର୍ପୋରେଟ ସୋସିଆଲ ରେସପନସିବିଲିଟ୍ ମାଧ୍ୟମରେ ଉକ୍ତ ଅଂଚଳରେ କାର୍ଯ୍ୟ ହେଉଛି. ଯଦି କୌଣସି ଅସୁବିଧା ହୋଇଥାଏ , ତାହେଲେ ଗ୍ରାମବାସୀଙ୍କ ସହ କମ୍ପାନୀ ଯୋଗାଯୋଗ କରି ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।