ନକଲି ପଟ୍ଟାରେ ମତ୍ସ୍ୟବିଭାଗ ଜମି ହଡ଼ପ ଅଭିଯୋଗ
କୁଜଙ୍ଗ(ଜୁଗାବ୍ଦ ନ୍ୟୁଜ୍): କୁଜଙ୍ଗ ଥାନା ବାଲିତୁଠ ଅଞ୍ଚଳରେ ସରକାରୀ ମତ୍ସ୍ୟ ବିଭାଗର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ରାଜସ୍ୱ ଅଧିକାରୀଙ୍କୁ ହାତବାରିସି କରି ବେଆଇନ ପଟ୍ଟା ହାସଲ କରିନେଇଥିବା ଅଭିଯୋଗ ହୋଇଛି । ଏପରିକି ସରକାରୀ ଜମିରେ ମଧ୍ୟ ବେଆଇନ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବାଲିତୁଠ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ତୁରନ୍ତ ସରକାରୀ ଜମିକୁ ନେଇ କରାଯାଇଥିବା ତଞ୍ଚକତାକୁ ଉପଯୁକ୍ତ ଯାଞ୍ଚ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଏହି ବ୍ୟବସାୟ ପ୍ରସିଦ୍ଧ ଅଞ୍ଚଳରେ ୧୯୭୧ରେ ତକ୍ରାଳୀନ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ନଟବର ପ୍ରଧାନଙ୍କ ଦ୍ୱାରା ଜଟାଧାର ମୁହାଣକୁ ରାସ୍ତା ଓ ବାଲିତୁଠ ମାହାଙ୍ଗା ନଦୀର ପୋଲ ଶିଳାନ୍ୟାସ କରାଯାଇଥିଲା । ଏହି ରାସ୍ତା ଓ ପୋଲ ବାଲିତୁଠ ନୁଆଗାଁ ଅଞ୍ଚଳର ଭାଗ୍ୟ ଭବିଷ୍ୟତକୁ ବଦାଳାଇଥିବା ବେଳେ ଅଞ୍ଚଳରେ ଦ୍ରୁତ ଅର୍ଥନୈତିକ ପ୍ରଗତି ବୃଦ୍ଧି ପାଇଥିଲା । ଏହି ଅବସରରେ ବାଲିତୁଠ ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମତ୍ସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ପାଇଁ ମଧ୍ୟ ବହୁ ଗୃହ ନିର୍ମାଣ କରାଯାଇଥିଲା । ଜଟାଧାର ମୁହାଣ ୭ କିମି ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କ ସୁବିଧା ପାଇଁ କରାଯାଇଥିବା ଏହି କେନ୍ଦ୍ର କିଛି ଦିନ ଚାଲିବା ପରେ ଏଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଚାଲିଲା । ମୌଜା ବାନାପଟା କାନ୍ଧାର ଖାତା ନଂ ୩୨୭, ପ୍ଲଟ୍ ନମ୍ବର ୨୫୬, ଖାତା ୨୫୭ ଓ ୨୫୮ ବ୍ଲଟ୍ ନଂ ୯୨୧ ରେ ୪ ଏକାର ୪୯ ଡିସିମିଲି ବିଶିଷ୍ଟ ଏହି ଏହି ଜମିରେ ଏବେ ମଧ୍ୟ ମତ୍ସ୍ୟ ବିଭାଗର ଗୃହ ରହିଛି । ଏହି ପ୍ଲଟ୍ ୨୫୬ରେ ୦.୧୫ ଏକରରେ ରାସ୍ତା, ପ୍ଲଟନଂ ୨୫୮ରେ ରାସ୍ତା, ୨୫୭ରେ ୩ ଏକର ଜଙ୍ଗଲ କିସମ, ୯୨୧ରେ ୧.୨୪ ଏକର ଜଙ୍ଗଲ କିସମ ଜମି ଅନ୍ତର୍ଭୁକ୍ତ । ଏହି ଜମି ବିଷୟରେ ଜଗତସିଂହପୁର ଏଡିଏଫ୍ଓ ଗତ ଡିସେମ୍ବର ୧୩ ତାରିଖରେ ଜବରଦଖଲ ଉଚ୍ଛେଦ ପାଇଁ ଆବେଦନ କରିଥିଲେ । ମାତ୍ର ସେହି ମାସ ୨୨ ତରିଖରେ ବାଲିତୁଠ ରାଜସ୍ୱ ନିରୀକ୍ଷକ ଏଡିଏଫ୍କୁ ମଧ୍ୟ ଏହି ନେଇ ରିପୋର୍ଟ ପ୍ରଦାନ କରିଥିଲେ । ଗତ କିଛିଦିନ ହେବ କିଛି ପ୍ରଭାବଶାଳୀ ଏହି ବ୍ୟକ୍ତି ଏହି ଜମିର କିଛି ଅଂଶର ପଟ୍ଟା ହାତେଇ ନିର୍ମାଣ କାର୍ଯ୍ୟ ରାତିଅଧିଆ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସରକାରୀ ଜମିକୁ ଖର୍ଦ୍ଦି ବିକ୍ରିକରି ପୁଣି ରାତି ଅଧିଆ ବେଆଇନ ନିର୍ମାଣ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସିବ ବୋଲି ବାଲିତୁଠବାସୀ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।