ନଦୀ ବନ୍ଧକୁ ତାଡି ନେଲା ପୂର୍ତ ବିଭାଗ !
ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁରୁ ଅରକକୁଦକୁ ସଂଯୋଗ ରାସ୍ତା ପୂର୍ତ ବିଭାଗ ଅଧିନ ରହିଛି । ଏହି ରାସ୍ତା ଦେଇ ରୋହିଆ ପଂଚାୟତ ସମେତ ବ୍ଳକର ଅନ୍ୟ ପଂଚାୟତର ଲୋକମାନେ ଥାନା, ସବରେଜିଷ୍ଟାର କାର୍ଯ୍ୟାଳୟ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ତଥା ବିଭିନ୍ନ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି । ଏହି ରାସ୍ତାର ଦକ୍ଷିଣ ପାଶ୍ୱର୍ରେ ଗୋବରୀ ନଦୀ ପ୍ରବାହିତ ହୋଇଛି । ଏହି ନଦୀ ଦ୍ୱାରା ନଦୀ ଉପରେ ଥିବା ଚାଷ ଜମିରୁ ଜଳ ନିଷ୍କାସନ ହେବା ସହିତ ଆବଶ୍ୟକସ୍ଥଳେ ଚାଷ ଜମିକୁ ପାଣି ମାଡିଥାଏ । ଜମିରେ ପାଣି ମାଡିବା ଓ ଉଦବୃତ ଜଳ ନିଷ୍କାସନ ପାଇଁ ଡ୍ରେନଜ ବିଭାଗ ତରଫରୁ ନଦୀ ପାଶ୍ୱର୍ରେ ଆଡି ବନ୍ଧ ନିର୍ମାଣ କରାଯାଇଥିଲା । ହେଲେ ଗତକିଛି ମାସ ତଳେ ପୂର୍ତ ବିଭାଗର ଜୈନିକ ଠିକାଦାର ଡ୍ରେନଜ ବିଭାଗ ଅଗୋଚରରେ ନଦୀର ଆଡି ବନ୍ଧରୁ ମାଟି ଉଠାଇ ନେଇଥିବା ଚର୍ଚ୍ଚା ହେଉଛି । ଯାହାଫଳରେ ଆଡି ବନ୍ଧଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେ ଆଡି ବନ୍ଧ ନଥିବାରୁ ନାଉଗାଁରୁ ଅରଖକୁଦକୁ ଯାଇଥିବା ରାସ୍ତାର ନଦୀ ପାଶ୍ୱର୍ରୁ ମାଟି ଅତଡା ଖସୁଥିବା ଦେଖାଯାଇଛି । ଏହି ରାସ୍ତା ପାଶ୍ୱର୍ରୁ ମାଟି ଅତଡା ଖସିବା ଦ୍ୱାରା ସ୍ଥାନୀୟ ଲୋକ ରାସ୍ତା କଡରେ କାଠ ପଟ୍ଟା ପକାଇଥିବା ବେଳେ ଉକ୍ତ ପଟ୍ଟା ଉପରେ ୪ଚକିଆ ଗାଡି ମଧ୍ୟ ଯାତାୟତ କରୁଥିବା ଦେଖାଯାଇଛି । ଅପରପକ୍ଷେ ଆଡି ବନ୍ଧଟିରୁ ମାଟି ଖୋଳା ହୋଇଯିବା ଦ୍ୱାରା ଆଗକୁ ଅଧିକ ବନ୍ୟା ପାଣି ଆସିଲେ ଉକ୍ତ ରାସ୍ତା ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଉକ୍ତ ଆଡି ବନ୍ଧକୁ ଡ୍ରେନଜ ବିଭାଗର ବିନା ଅନୁମତିରେ ପୂର୍ତ ବିଭାଗ ପକ୍ଷରୁ କିପରି ମାଟି ତାଡି ନିଆଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଆଡି ବନ୍ଧଟି ନଷ୍ଟ ହେବା ଫଳରେ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ତ ବିଭାଗର ଏହି ରାସ୍ତାଟି ରୋହିଆ ପଂଚାୟତର ମୁଖ୍ୟ ରାସ୍ତା ହୋଇଥିବା ବେଳେ ପାଣି ମାଡ ଦ୍ୱାରା ରାସ୍ତା ଦବିଲେ ଜନସାଧାରଣ ଯିବା ଆସିବାରେ ମଧ୍ୟ ସମସ୍ୟା ସୃଷ୍ଟି କରିବ । ତେଣୁ ଜନସାଧାରଣ ଓ ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ଆଡି ବନ୍ଧ କାର୍ଯ୍ୟ କରାଯିବା ପାଇଁ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁଙ୍କ ସମେତ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏବିଷୟକୁ ନେଇ ପୂର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ରମେଶ ମିଶ୍ରଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନଥିବା ବେଳେ ଡ୍ରେନଜ ବିଭାଗର କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଅବଗତ ନାହିଁ, ପୂର୍ତ ବିଭାଗ ସହ ଆଲୋଚନା କରିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।