ନବନିର୍ବାଚିତ ପୌରାଧ୍ୟକ୍ଷା ସବିତା ସାହୁଙ୍କ ଦାୟିତ୍ୱ ଗ୍ରହଣ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ପୌରପାଳିକାର ନବନିର୍ବାଚିତ ଅଧ୍ୟକ୍ଷା ସବିତା ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ବାଚିତ କାଉନସିଲର ଓ ସହଯୋଗୀଙ୍କ ଗହଣରେ ଶ୍ରୀମତୀ ସାହୁ ପୌରପାଳିକାରେ ପହଞ୍ଚ ବିଧିବଦ୍ଧ ଭାବେ ଦାୟତ୍ୱ ଗ୍ରହଣ କରିଥିଲେ । ପୌର ନିର୍ବାଚହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ବାଲେଶ୍ୱରରେ ଆହୁରି ଆଗକୁ ନେବା ସହିତ ବାଲେଶ୍ୱର ପୌରପାଳିକାକୁ ରାଜ୍ୟରେ ୧ନଂ ସ୍ଥାନରେ ପହଞ୍ଚାଇବାରେ ତାଙ୍କର ଉଦ୍ୟମ ସର୍ବଦା ଜାରି ରହିବ ବୋଲି ଶ୍ରୀମତୀ ସାହୁ କହିଥିଲେ । ଏନେଇ ସେ ସହରବାସୀଙ୍କ ସହଯୋଗ କାମନା କରିଥିଲେ । ତେବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ଶ୍ରୀମତୀ ସାହୁଙ୍କ ସମେତ ନବନିର୍ବାଚିତ ବିଜେଡି କାଉନସିଲରଙ୍କୁ ନେଇ ଦଳୀୟ ଜିଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ଟାଉନ ସଭାପତି ସନତ ଦାସ ଏଥିରେ ସଭାପତିତ୍ୱ କରିଥିଲେ । ଜିଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ନବନିର୍ବାଚିତ ପୌରାଧ୍ୟକ୍ଷା ଓ ସମସ୍ତ କାଉନସିଲରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରା ସମଗ୍ର ରାଜ୍ୟରେ ଚାଲିଥିବା ବେଳେ ବାଲେଶ୍ୱରରେ ବି ଅନୁରୂପ ସ୍ଥିତି ଜାରି ରହିବ । ତେବେ ବାଲେଶ୍ୱର ସହରୀକରଣ ବ୍ୟବସ୍ଥାର ଉନ୍ନତି ସାଙ୍ଗକୁ ସର୍ବାଙ୍ଗୀନ ବିକାଶରେ ନର୍ବନିର୍ବାଚିତ ପୌର ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛ ବୋଲି ସେ କହିଥିଲେ । ଏହାକୁ ଆଗେଇ ନେବା ପାଇଁ ସବୁ ମହଲରୁ ସେମାନଙ୍କୁ ସହଯୋଗ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଏଥିରେ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛ ଜଣାଇବା ସହ ପୌର ନିର୍ବାଚନର ଜନାଦେଶକୁ ସମସ୍ତେ ସମ୍ମାନ ଦେବା ଉଚିତ ବୋଲି କହିଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ଉପରେ ସହରବାସୀ ପ୍ରକଟ କରିଥିବା ଅସ୍ତା ଓ ବିଶ୍ୱାସ ଶେଷ ପର୍ଯ୍ୟନ୍ତ ଅତୁଟ ରଖିବା ପାଇଁ ଶ୍ରୀମତୀ ଜେନା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଭାଗବତ ସାହୁ, ଭୂବନାନନ୍ଦ ଦାସ, ବିଶ୍ୱଜିତ ମହାପାତ୍ର, ଇନ୍ତେକାବ ଅଲି ଖାଁ, ଶେଖ ସାକିର, ଶାନ୍ତନୁ ଦାସ, ସୁବୋଧ ମହାନ୍ତି, ବରଦା ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ବିଜେଡ଼ି ନେତୃବୃନ୍ଦ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ