ନବରାତ୍ରୀରେ ନବ ଦୁର୍ଗା ପୁଜା

ସନ୍ତୋଷ କୁମାର ଦାଶ

ଆଶ୍ଵିନ ମାସର ଅମାବାସ୍ୟା ପର ଦିନ ପ୍ରତିପଦ ତିଥି ଠାରୁ ମହା ନବମୀ ପର୍ଯ୍ୟନ୍ତ ମାତୃ ଭକ୍ତ ମାନେ ନବଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ୯ ଟି ରୂପରେ ପୂଜା କରିଥାନ୍ତି। ଏହାକୁ ନବରାତ୍ରି ରେ ନବ ଦୁର୍ଗା ପୂଜା ବୋଲି କୁହାଯାଇଥାଏ। ଆଦିଶକ୍ତି ଙ୍କ ପ୍ରଥମ ସ୍ଵରୂପା ଶୈଳପୁତ୍ରୀ ଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ।ପୌରାଣିକ କିମ୍ବଦନ୍ତୀ ଅନୁସାରେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ଵାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି ।ନବରାତ୍ର ର ଦ୍ଵିତୀୟ ଦିବସରେ ମା ଦୁର୍ଗା ଙ୍କୁ ବ୍ରହ୍ମଚାରିଣୀ ସ୍ୱରୂପ ରେ ମାତୃ ଭକ୍ତମାନେ ଉପାସନା କରି ଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ର ରେ ଅବସ୍ଥାପିତ କରି ଆରାଧନା କରିଥାଏ। ନବରାତ୍ରୀ ର ତୃତୀୟ ଦିନ ରେ ମା ଙ୍କୁ ଚନ୍ଦ୍ରଘଣ୍ଟା ସ୍ୱରୂପ ରେ ପୁଜା କରା ଯାଇଥାଏ। ଏହା ଦେବୀଙ୍କ ଉଗ୍ରରୂପ।ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ। ନବରାତ୍ରୀ ର ଚତୁର୍ଥ ଦିନ ମା କୁଷ୍ମାଣ୍ଡା ରୂପରେ ପୂଜା ପାଇଥାନ୍ତି। ପୌରାଣିକ କଥା ଅନୁସାରେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ମା ଙ୍କୁ ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି । ନବରାତ୍ରୀ ର
ପଞ୍ଚମ ଦିବସରେ ମା ଦୁର୍ଗା ଦେବୀଙ୍କୁ ସ୍କନ୍ଦମାତା ରୂପରେ ଉପାସନା କରାଯାଇ ଥାଏ। ପୁରାଣ ଅନୁସାରେ କୁମାର କାର୍ତ୍ତିକେୟ ଙ୍କ ମାତା ହୋଇଥିବାରୁ ଦେବୀ ଙ୍କୁ ସ୍କନ୍ଦମାତା ବୋଲି କୁହାଯାଇଥାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ।ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି। ନବରାତ୍ର ର ଷଷ୍ଠ ଦିବସରେ ଦେବୀ ଙ୍କୁ କାତ୍ୟାୟନୀ ବେଶ ରେ ପୂଜା କରାଯାଇଥାଏ। ପୁରାଣ ର କିମ୍ବଦନ୍ତୀ ଅନୁସାରେ ମହର୍ଷି କାତ୍ୟାୟନ ଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ। ସେଥି ପାଇଁ ଦେବୀଙ୍କ ନାମ କାତ୍ୟାୟନୀ।ଭଗବାନ ଶ୍ରୀକୃଷ୍ଣ ଙ୍କୁ ପତି ରୂପେ ପାଇବାକୁ ବ୍ରଜ ଗୋପୀ ମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ବୋଲି ବିଭିନ୍ନ ଶାସ୍ତ୍ର ରେ ବର୍ଣ୍ଣିତ ହୋଇଛି। ତେଣୁ ବିବାହ ହୋଇ ପାରୁନଥିବା ଯୁବତୀ ମାନେ ଦେବୀ କାତ୍ୟାୟନୀ ଙ୍କୁ ପୂଜା କଲେ ସୁଫଳ ପାଇ ଥାନ୍ତି ବୋଲି ବିଶ୍ୱାସ ରହିଛି।ନବରାତ୍ର ର ସପ୍ତମ ଦିବସ ରେ ଦେବୀଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଇଥାଏ। ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ,ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି ।ନବରାତ୍ର ର ଅଷ୍ଟମ ଦିବସରେ ଦେବୀ ଙ୍କୁ ମହାଗୌରୀ ରୂପ ରେ ପୂଜା କରାଯାଇଥାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ଵେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି । ନବରାତ୍ରର ନବମ ବା ଅନ୍ତିମ ଦିବସରେ ଦେବୀ ଙ୍କୁ ସିଦ୍ଧିଦାତ୍ରୀ ସ୍ଵରୂପରେ ପୂଜା କରାଯାଇ ଥାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର,ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ର ରେ ନବଦୁର୍ଗା ଙ୍କ ପୂଜା ସମ୍ପୂର୍ଣ୍ଣ ହୋଇଥାଏ । ନବରାତ୍ରୀ ରେ ଜଗତ ଜନନୀ,ଦୁର୍ଗତିନାସିନୀ ମା ଦୁର୍ଗା ଙ୍କ ନବ ରୂପ କୁ ପୁଜା କଲେ ନିଜର ଓ ପରିବାର ର ସମସ୍ତ ଗ୍ରହ ଦୋଷ,ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଜୟ ମା ଦୁର୍ଗା।

ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ