ନାଉଗାଁରେ ବହି ବାଂଟିଲେ ଶିକ୍ଷକ ଶିକ୍ଷୟତ୍ରୀ, ୪୯୦୦ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଣ
ନାଉଗାଁ, (ୱାଇଏନ୍ଏସ୍): କରୋନା ଭାଇରସ ସଂକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ଲକ ଡାଉନ ଘୋଷଣା ହୋଇଛି । ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ ପାଇଁ ଘୋଷଣା କରିଛନ୍ତି । ପିଲାମାନେ ଘରେ ରହି ପାଠ ପଢିବା ପାଇଁ ତୁରନ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ବହି ଯୋଗାଇ ଦେବା ପାଇଁ ନିଦ୍ଦେର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ ମାନି ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବହି ବଂଟନ କରିଥିବା ଦେଖାଯାଇଛି । ଏହି ପରିପ୍ରକ୍ଷୀରେ ନାଉଗାଁ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷରେ ୮୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୪୯୦୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବହି ଯୋଗାଇ ଦିଆଯାଇଛି । ଉକ୍ତ ବହି ଗୁଡିକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ବୁଲି ବହି ବଂଟନ କରିଥିବା ଦେଖାଯାଇଛି । ଏହା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ କରୋନା ପାଇଁ ସଚେତନ କରାଇଥିଲେ । ଏପରିକି ବାରମ୍ବାର ସାବୁନରେ ହାତ ଧୋଇବା ସହିତ ବାହାରକୁ ବାହାରିବା ମାତ୍ରେ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୁରତ୍ୱକୁ ମାନିବା ଓ ଘରେ ରହିବା ସୁରକ୍ଷିତ ରହିବା ଆଦି ବୁଝାଇଥିଲେ ।