ନାଉଗାଁ ତହସିଲରେ ଜାତୀୟ ରାଜପଥ ର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ତହସିଲ ଅଧିନ ଦେଇ ଯାଉଥିବା ଉପକୂଳ ଜାତୀୟ ରାଜପଥ ପାଇଁ ଗୁରୁବାର ତହସିଲ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣିରେ ଭୂଅର୍ଜନ ଅଧିକାରୀ ତଥା ତହସିଲଦାର ଜେ.କଳ୍ପନାଙ୍କ ସମେତ ଜାତୀୟ ରାଜପଥର ରାଜସ୍ୱ ଅଧିକାରୀ ଶରତ ଚନ୍ଦ୍ର ସ୍ୱାଇଁ, ଜମି ଅଧିଗ୍ରହଣଏକ୍ସର୍ପଟ ଶ୍ରୀରାମ କୃପାଲ ଶର୍ମା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗୀୟ କନିଷ୍ଠ ସହାୟକ ନିରୋଜ ମହାପାତ୍ର ପରିଚାଳନା କରୁଥିଲେ । ଉକ୍ତ ତହସିଲ ଅନ୍ତର୍ଗତ ଡାବର,ସାହାଡା, କୋଳଥା, କୋରୁଅ, ଧୂଆଁପଦା, ଢିହତେଲସରା,ଗାରୋଇ, ଓଷକଣା ଆଦି ଗ୍ରାମ ଦେଇ ଏହି ଜାତୀୟ ରାଜପଥ ଯାଉଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ କି କି ଅଭିଯୋଗ ରହିଛି ସେବିଷୟରେ ଜନଶୁଣାଣି କରାଯାଇଥିଲା । ଉକ୍ତ ଜନଶୁଣାଣିରେ ବିଭିନ୍ନ ଗ୍ରାମରୁ ୭୦ଟି ଅଭିଯୋଗ ଆସିଥିଲା । ଉକ୍ତ ଅଭିଯୋଗକୁ ବିଚାର କରାଯିବା ସହିତ ଉକ୍ତ ସ୍ଥାନକୁ ବୁଲି ଦେଖିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଲୋଚନା କରାଯାଇଥିଲା ।