ନାଉଗାଁ ତହସିଲରେ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ,(ଓ୍ବାଇଏନ୍ଏସ୍): ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରାଯାଉଛି । କିନ୍ତୁ ଉକ୍ତ ପ୍ରକଳ୍ପର ସଠିକ ରକ୍ଷାଣବେକ୍ଷଣ ଅଭାବରୁ ପ୍ରକଳ୍ପ ଗୁଡିକ ଅଚଳ ହେଉଥିବା ଦେଖାଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ପାନୀୟ ଜଳ ପ୍ରକଳ୍ପରୁ ଦେଖିବାକୁ ମିଳୁଛି । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକଳ୍ପକୁ ମରାମତି କରାଯିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଫଳରେ ଜନସାଧାରଣମାନେ ମହାମାରୀ କରୋନା ସମୟରେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ଡହଳ ବିକଳ ହେଉଥିବା ଜଣାଯାଇଛି ।ସୂଚନା ଅନୁସାରେ ଏହି ତହସିଲ ପରିସରରେ ପାରାଦ୍ୱୀପ ପୋର୍ଟର ପାରିପାଶ୍ୱିକ ଉନ୍ନତୀକରଣ ପାଣ୍ଠିରୁ ଏକ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ଉକ୍ତ ପ୍ରକଳ୍ପ ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର ଯନ୍ତ୍ରପାତି ବ୍ୟବହାର କରାଯାଇ କାର୍ଯ୍ୟ କରାଯାଇଥିଲା । ଫଳରେ ଉକ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବାର କମ ଦିନ ମଧ୍ୟ ଅଚଳ ହୋଇପଡିଥିଲା । ଏହାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା । କିନ୍ତୁ କିଛି ଦିନ ବ୍ୟବହାର ହେବା ପରେ ଏବେ ଏହା ପୂର୍ଣ୍ଣବାର ଅଚଳ ହୋଇ ପଡିରହିଛି । ଉକ୍ତ କାର୍ଯ୍ୟାଳୟକୁ ଜନସାଧାରଣମାନେ ବିଭିନ୍ନ କାମ ପାଇଁ ଦୁରସ୍ଥାନରୁ ଆସି କାର୍ଯ୍ୟାଳୟରେ ଅପେକ୍ଷା କରି ରହୁଛନ୍ତି । ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାହାର ଜିନିଷ ପ୍ରତି କଟକଣା ରହିଥିବା ବେଳେ ଲୋକମାନେ ଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ପ୍ରକଳ୍ପ ପାଖକୁ ଯାଇ ପାଣି ପାଇବାରୁ ବଂଚିତ ହେଉଛନ୍ତି । ଫଳରେ ସେମାନେ ଜଳ ପାଇଁ ନିକଟସ୍ଥ ଦୋକାନକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହୋଇ ପାଣି କିଣି ପିଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସଂର୍ପକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପଟି ଡୋନେଟ୍ ଆକାରରେ ଆସିଥିବାରୁ ଯେଉଁ କାର୍ଯ୍ୟାଳୟରେ ରହିଛି, ସେହି କାର୍ଯ୍ୟାଳୟ ଦ୍ୱାରା ରକ୍ଷାଣବେକ୍ଷଣ ଦାୟିତ୍ୱ ରହିଛି ବୋଲି କହିଥିଲେ । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ