ନାଉଗାଁ ବ୍ଲକରେ ୟୁରିଆ ସାର ଅଭାବ; ଲମ୍ବିଛି ଲମ୍ବା ଧାଡି
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ଚଳିତବର୍ଷ ୭ହଜାର ୩ ଶହ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି । ଚାଷୀମାନଙ୍କୁ ସୁବିଧାରେ ସାର ଯୋଗାଇ ଦେବା ପାଇଁ କୃଷି ବିଭାଗ ପକ୍ଷରୁ ଉକ୍ତ ବ୍ଳକରେ ୬ଟି ସେବା ସମବାୟ ସମିତି ଓ ୧୫ଟି ସରକାରୀ ଅଧିକୃତ ସାର ବ୍ୟବସାୟୀମାନଙ୍କୁ ସାର ବିକ୍ରି କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । କୃଷି ବିଭାଗ ପକ୍ଷରୁ ସେବା ସମବାୟ ସମିତି ମାଧ୍ୟମରେ କେତେ ସାର ଚାଷୀକୁ ଯୋଗାଇ ଦିଆଯାଉଛି ତାହାର ତଥ୍ୟ ପ୍ରଦାନ କରାଯାଉଥିବା ବେଳେ ସରକାରୀ ଅଧିକୃତ ସାର ଦୋକାନ ମାଧ୍ୟମରେ ଚାଷୀକୁ କେତେ ସାର ଯୋଗାଇ ଦିଆଯାଉଛି ତାହାର ତଥ୍ୟ ମିଳିପାରୁନାହିଁ । ଫଳରେ ସରକାରୀ ଅଧିକୃତ ସାର ଦୋକାନୀମାନେ ସାର କଳା ବଜାରରେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ଏପରିକି ନବ ନିର୍ମାଣ କୃଷକ ସଂଗଠନ ଓ ଚାଷୀମାନଙ୍କ ଦ୍ୱାରା ସାର ପାଇଁ ଅନେକ ଥର ନାଉଗାଁ ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ହେଲେ ବି ୟୁରିଆ ସାରର ଅଭାବୀ ବିକ୍ରି ହେଉଥିବା ଜଣାଯାଇଛି । ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଉକ୍ତ ବ୍ଳକକୁ ସୋସାଇଟି ମାଧ୍ୟମରେ ୧୦୭.୧ ମେଟ୍ରିକ ଟନ ୟୁରିଆ ଯୋଗାଇ ଦିଆଯାଇଥିଲା । ପରେ ୨ୟ ପର୍ଯ୍ୟାୟରେ ଗଜରାଜପୁର ସୋସାଇଟକୁ ୧୨୦ପ୍ୟାକେଟ, ନାଉଗାଁକୁ ୧୧୦, ଡେରିକି ୮୦, ତିରୁଣା ୭୦, ଅଲଣା ୭୦, ଶିଖର ସମବାୟ ସମିତିକୁ ୫୦ ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଛି । ଗୁରୁବାର ବ୍ଳକର ୬ଟି ସମବାୟ ସମିତି ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ବିକ୍ରିୟ କରାଯାଉଥିବା ଦେଖାଯାଇଥିଲା । ପ୍ରତି ସୋସାଇଟି ନିକଟରେ ଶତାଧିକ ଚାଷୀ ଲମ୍ବା ଧାଡିରେ ଠିଆ ହୋଇଥିବା ବେଳେ ବହୁ ଚାଷୀ ସାର ନପାଇ ଫେରିଥିବା ଜଣାଯାଇଛି । ଏପରିକି ନାଉଗାଁ ସମବାୟ ସମିତିରେ ୧୧୦ବସ୍ତା ସାରକୁ ୫ ଶହରୁ ଉର୍ଦ୍ଧ ଚାଷୀ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ସାର ନେବାକୁ ଚାଷୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମଧ୍ୟ ଆରମ୍ଭ ହେବାରୁ ଉତେଜନା ପ୍ରକାଶ ପାଇଥିଲା । ଶେଷରେ ଘଟଣାସ୍ଥଳକୁ ପୋଲିସ ଆସି ଭିଡକୁ ନିୟନ୍ତ୍ରଣ କରିଥିଲେ । ଯେଉଁ ଚାଷୀମାନେ ସୋସାଇଟିରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଛନ୍ତି କ୍ରମିକ ଅନୁସାରେ ସେମାନଙ୍କର ନାମ ରଖା ଯାଇଥିବା ଓ ସେହି ଅନୁସାରେ ସାର ପ୍ରଦାନ କରାଯାଉଥିବା ସୋସାଇଟିର ସଂପାଦକମାନେ ମତବ୍ୟକ୍ତ କରିଛନ୍ତି । ଚାଷୀମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ଅଧିକ ପରିମାଣର ସାର ମହଜୁଦ ରଖିବା ପାଇଁ ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।ଏ ସଂର୍ପକରେ ନାଉଗାଁ ବ୍ଳକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ପଚାରିବାରୁ ଦିନେ ଦୁଇ ଦିନ ମଧ୍ୟ ସୋସାଇଟିରେ ଆବଶ୍ୟକ ମୁତାବକ ସାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।


