ନାଉଗାଁ ବ୍ଳକରେ ବାତ୍ୟା ଅମ୍ଫାନର ପ୍ରଭାବ

ନାଉଗାଁ (ଓ୍ବାଇଏନ୍ଏସ୍) : ବଙ୍ଗପୋସାଗରରେ ସୃଷ୍ଟି ହେଇଥିବା ବାତ୍ୟା ଅମ୍ଫାନର ପ୍ରଭାବ ନାଉଗାଁବ୍ଳକ ଉପରେ ଦେଖିବାକୁ ମିଳିଛି । ବାତ୍ୟାର ପ୍ରଭାବରେ ମଙ୍ଗଳବାର ମଧ୍ୟାହ୍ନ ସମୟରୁ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟାରୁ ପବନ ବହିବା ଆରମ୍ଭ କରିଥିଲା । ରାତ୍ରରୁ ପବନର ବେଗ ବୃଦ୍ଧି ପାଇବା ସହିତ ପ୍ରବଳ ବର୍ଷାର ମଧ୍ୟ ହୋଇଥିଲା । ପବନ ଯୋଗୁ ରାସ୍ତାଘାଟରେ ଅନେକ ଗଛ ଭାଙ୍ଗି ପଡିବା ସହିତ ଗାଁ ଗହଳିରେ ମଧ୍ୟ ଗଛ ଭାଙ୍ଗିବାର ଦେଖାଯାଇଥିଲା । ପବନ ଆରମ୍ଭ ହେବା ମାତ୍ରେ ବ୍ଳକରେ ବିଦ୍ୟୁତ ସେବା ସଂପୂନ୍ନ ବିଚ୍ଛିନ୍ନ ହୋଇଯାଇଛି । ଅନେକ ସ୍ଥାନରେ ତାର ଛିଣ୍ଡି ଯାଇଥିବା ଦେଖିବାକୁ ମିଳୁଛି । ସେହିପରି ବ୍ଳକରେ ଥିବା କଚ୍ଚା ଘର ମଧ୍ୟ ଭାଙ୍ଗିଥିବାର ଦେଖିବାକୁ ମିଳିଛି । ରାସ୍ତା ଘାଟ ଶୁନ୍ ଶାନ୍ ହେବା ସହିତ ଡାଳୁଅ ଧାନ ଜମିରେ ଆଠୁଏ ଉପରେ ପାଣି ଜମି ରହିଛି । ବାତ୍ୟା ଯୋଗୁ ବ୍ଳକର ବିଭିନ୍ନ ପଂଚାୟତରେ ଯଥା କୋରୁଅ, ଡେରିକି, ରୋହିଆ, ଗଳଦାରୀ, ବଛାଳୋ, ଶିଖର, ଓଷକଣା, ଡାବର, ତିରୁଣା ଆଦି ପଂଚାୟତରେ ଚାଷ କରାଯାଇଥିବା ପରିବା ଜମିରେ ପାଣି ମାଡି ଯାଇଛି । ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା ୩୧ ମିଲି ମିଟର ଓ ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୨୫ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ବାତ୍ୟାରେ କେତେ କଚ୍ଚା ଘର ଭାଙ୍ଗିଛି ସେ ବିଷୟରେ ତହସିଲ ପକ୍ଷରୁ ତଦନ୍ତ କରାଯିବ ବୋଲି ତହସିଲଦାର ଜେ.କଳ୍ପନା ପ୍ରକାଶ କରିଥିବା ବେଳେ ବାତ୍ୟାରେ କ’ଣ କ୍ଷତି ହୋଇଛି ବ୍ଳକ ପ୍ରଶସାନ ପକ୍ଷରୁ ଆକଳନ କରାଯିବ ବୋଲି ବିଡିଓ ରଶ୍ମିରେଖା ମଲିକ ପ୍ରକାଶ କରିଛନ୍ତି । ଅନ୍ୟପଟରେ ନାଉଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ନାଉଗାଁ ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ପଡି ରହିଥିବା ଗଛ ଗୁଡିକୁ କାଟି ସଫା କରାଯାଉଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ