ଅମ୍ଫନର ପ୍ରଭାବ: କଚ୍ଚା ଘର କ୍ଷତିଗ୍ରସ୍ତ, ଗଛ ଉପୁଡି ରାସ୍ତା ଅବରୋଧ

ବନ୍ତ (ଚାନ୍ଦିନୀ ମହାନ୍ତି) : ବାତ୍ୟା ‘ଅମ୍ଫନ’ର ପ୍ରଭାବ ସମଗ୍ର ବନ୍ତ ବ୍ଲକରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗଛ ଗୁଡିକ ଉପୁଡି ରାସ୍ତା ଅବରୋଧ ହୋଇଛି । ପ୍ରଭାବିତ ଅଞ୍ଚଳରେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି । ପ୍ରକାଶ ଯେ, ବାତ୍ୟା ‘ଅମ୍ଫାନ’କୁ ନେଇ ବ୍ଲକବାସୀ ଭୟଭୀତ ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ଠାରୁ ଦିନ ତମାମ କୋହଲା ପାଗ ଅନୁଭୂତ ହୋଇଥିଲା । ସନ୍ଧ୍ୟା ଠାରୁ ଝିପ୍ ଝିପ୍ ବର୍ଷା ଓ ପବନ ଆରମ୍ଭ ହୋଇ ରାତିରେ ଏହାର ମାତ୍ରା ବଢି ଯାଇଥିଲା । ବୁଧବାର ସକାଳ ଠାରୁ ବର୍ଷା ଓ ପବନର ମାତ୍ରା ବୃଦ୍ଧି ପାଇଥିଲା । ଦିନ ୧୨ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପବନର ବେଗ ଅତ୍ୟଧିକ ଦେଖିବାକୁ ମିଳିଥିଲା । ଅଧିକ ପବନ ହେବା ଯୋଗୁ ବିଭିନ୍ନ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହେବା ସହ ଗଛ ଗୁଡିକ ଉପୁଡି ପଡିଥିବାର ଦେଖାଯାଇଥିଲା । ପଧାନପଡା ପଞ୍ଚାୟତର ଚଣ୍ଡିପୁରସ୍ଥିତ କଲେଜ ରୋଡ ଓ ସଖିପାଟଣା ଠାରେ ଗଛ ଉପୁଡି ପଡିବା ଯୋଗୁ ରାସ୍ତା ଅବରୋଧ ହୋଇଯାଇଥିଲା । ଖବର ପାଇ ତହସିଲଦାର ଇନ୍ଦିରା ସାହୁ ଘଟଣା ସ୍ଥଳରେ ପହଞ୍ôଚ ରାସ୍ତା ଅବରୋଧ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଆଗରପଡା ଦମକଳ ବାହିନୀ ସହାୟତାରେ ସଂପୃକ୍ତ ଅଞ୍ଚଳରେ ଗଛ ଗୁଡିକ କାଟି ସଫା କରାଯାଇଥିଲା । ସେହିପରି ଛୟାଳସିଂ ଓ ଟିଲୋ ପଞ୍ଚାୟତ ସମେତ ଆଗରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିଲା । ଏସମସ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ଗଛ ଗୁଡିକ କଟା ଯାଇ ରାସ୍ତା ସଫା କରାଯାଇଥିଲା । ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକ ମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ଥଇଥାନ କରାଯାଇଥିବାର ଦେଖାଯାଇଛି । ରାମପୁର ପଞ୍ଚାୟତର ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ, କୌଶଲ୍ୟା ନୋଡାଲ ଉପ୍ରା ବିଦ୍ୟାଳୟ, କୁଣ୍ଡଳା ନୋଡାଲ ଉପ୍ରା ବିଦ୍ୟାଳୟ, ବଡବର୍ଚ୍ଚିକୟାଁ ପଞ୍ଚାୟତର ବିଶଲକଣା ପ୍ରାଥମିକ ବିଦ୍ୟାଳୟ, ଅଣିଜୋ ପଞ୍ଚାୟତର ନରିପୁର ଉପ୍ରା ବିଦ୍ୟାଳୟ, ବିଟିପୁର ପଞ୍ଚାୟତର ହଳଦି ପୁହାଣି ପ୍ରାଥମିକ ବିଦ୍ୟାଳୟ, ବଡମହିଷଗୋଠ ପଞ୍ଚାୟତର ହରିପୁର ପ୍ରାଥମିକ ବିଦ୍ୟାଳୟ, କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚାରିଗାଁ ପଞ୍ଚାୟତର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ସମେତ କେନ୍ଦୁଆପଦା, ତୋଡଗାଁ, ଛୟାଳସିଂ ଆଦି ପଞ୍ଚାୟତ ଗୃହରେ ପ୍ରାୟ ୫ ଶହ ଲୋକଙ୍କୁ ଥଇଥାନ କରାଯାଇଛି । ସମସ୍ତ ଲୋକଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ବିଭିନ୍ନ ଆଶ୍ରୟସ୍ଥଳ ପରିଦର୍ଶନ କରି ଲୋକ ମାନଙ୍କ ଅବସ୍ଥା ତଦାରଖ କରିଥିବା ଜଣାଯାଇଛି । ଅପରପକ୍ଷେ ମଙ୍ଗଳବାର ଠାରୁ ସମଗ୍ର ବ୍ଲକରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ