ନାଉଗାଁ ବ୍ଳକରେ ସ୍ୱାସ୍ଥ୍ୟ ବିଭାଗ ସଟଡାଉନ ଓ କଂଟେନମେଂଟ ଜୋନ ପରିସର ମଧ୍ୟରୁ ସ୍ୱାବ ସଂଗ୍ରହ
ନାଉଗାଁ, (ଓ୍ବାଇଏନ୍ଏସ୍):ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନାଉଗାଁ ବ୍ଲକର ସଟଡାଉନ ଓ କଂଟେନମେଂଟ ଜୋନ ପରିସର ମଧ୍ୟରୁ ରବିବାର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି।ସୂଚନା ଅନୁସାରେ ନାଉଗାଁ ବ୍ଳକର ନାଉଗାଁ ବଜାରରେ ଆଳୁ ବ୍ୟବସାୟ କରୁଥିବା ବ୍ୟବସାୟୀ ଓ ତାଙ୍କ ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ଚିହ୍ନଟ କରାଯିବା ପରେ ନାଉଗାଁ ବଜାର ସହିତ ଆଳୁ ବ୍ୟବସାୟୀଙ୍କ ଗ୍ରାମକୁ ପ୍ରଶାସନ ପକ୍ଷରୁ ୪୮ ଘଂଟିଆ ସଟଡାଉନ ଶୁକ୍ରବାର ଘୋଷଣା କରାଯାଇଥିଲା।ଏପରିକି ସଂପୃକ୍ତ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ତାଙ୍କ ଆଳୁ ପରିବହନ କରୁଥିବା ଦୁଇ ଗାଡି ଚାଳକ ସହିତ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କର ପଂଚାୟତ ସରପଂଚମାନେ ସେମାନଙ୍କର କିଛି ୱାର୍ଡକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲେ । ଫଳରେ ରବିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନାଉଗାଁହାଟ ହାଇସ୍କୁଲ ପରିସରରେ ଆଳୁ ବ୍ୟବସାୟୀଙ୍କ ସହ ସଂପୃକ୍ତ ଥିବା କେତେକ ବ୍ୟବସାୟୀ, ସେମାନଙ୍କ ପରିବାର, ସେମାନଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।ପ୍ରଥମ ପର୍ଯ୍ୟାୟରେ ସର୍ବମୋଟ ୬୯ ଜଣଙ୍କର ସ୍ୱାବ ଯାଇଥିବା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷୀକ ଡାକ୍ତର ସୁନନ୍ଦନ ମହାନ୍ତି ପ୍ରକାଶ କରିଛନ୍ତି।ପରବର୍ତୀ ସମୟରେ ଅନ୍ୟମାନଙ୍କର ସ୍ୱାବ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।ଅନ୍ୟପଟରେ ପ୍ରଶାସନ ପକ୍ଷରୁ ସଟଡାଉନ ଓ ସରପଂଚଙ୍କ ପକ୍ଷରୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ସଠିକ ତଦାରଖ ଅଭାବ ହେତୁ ଉକ୍ତ ସଟଡାଉନ ଅଂଚଳ ପରିସରରେ ଥିବା ଜନସାଧାରଣମାନେ ଉକ୍ତ ନିୟମକୁ ଅମାନ୍ୟ କରି ବାହାର ଅଂଚଳକୁ ଯାଇ ଖୁଲମଖୁଲା ବୁଲୁଥିବା ଦେଖାଯାଇଛି । ଯାହାକୁ ନେଇ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।


