ନାଉଗାଁ ବ୍ଳକରେ ୩ କରୋନା ସଂକ୍ରମିତ ଚିହ୍ନଟ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ମଙ୍ଗଳବାର ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ପ୍ରବାସୀ କର୍ଣ୍ଣାଟକରୁ ଫେରନ୍ତା ହୋଇଥିବା ବେଳେ ଜିଲ୍ଲା ଚିକିତ୍ସାଳୟର ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତ ଥିବା ଜିଲ୍ଲା ପ୍ରଶସାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ୨ ଜଣ ନୁଆଗାଁ ପଂଚାୟତର ସ୍ୱାମୀ ଓ ସ୍ତ୍ରୀ ହୋଇଥିବା ଦେବୀଦେଳା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଆସୁଥିବା ବେଳେ ୧୪ ଦିନ ପରେ ବିନା ସ୍ୱାବ ପରୀକ୍ଷାରେ ଘରକୁ ଯାଇଥିଲେ । ଅନ୍ୟ ଜଣେ ଓଷକଣା ପଂଚାୟତର ଭଟଣା ଗ୍ରାମର ହୋଇଥିବା ବେଳେ ପରିବାରରୁ ସଂକ୍ରମିତ ହୋଇଥିବା ଜଣାଯାଇଛି । ଏହି ସଂକ୍ରମିତ ଜଣଙ୍କ ପୂର୍ବ ସଂକ୍ରମିତଙ୍କ ସଂପର୍କୀୟ ପୁତୁରା ଅଟନ୍ତି । ଯାହାକୁ ନେଇ ନୁଆଗାଁ ପଂଚାୟତର ୪ନମ୍ବର ୱାର୍ଡର ବାଲିସାହିକୁ ସରପଂଚ ଅମିନା ସ୍ୱାଇଁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିବା ବେଳେ ଓଷକଣା ପଂଚାୟର ୧୩ ନମ୍ବର ୱାର୍ଡର କଂଟେନମେଂଟ ଜୋନକୁ ପ୍ରଶାସନ ପକ୍ଷରୁ କଡାକଡି କରାଯାଇଥିବା ଦେଖିବାକୁ ମିଳୁଛି । ସୂଚନା ମୁତାବକ ନୁଆଗାଁ ପଂଚାୟତର ଜୈନିକ ଦମ୍ପତି ଦ୍ୱୟ କର୍ଣ୍ଣାଟକରୁ ଜୁନ ୪ ତାରିଖରେ ଆସି ଦେବୀଦୋଳସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ସରକାରଙ୍କ ନିୟମ ମୁତାବକ ୧୪ ଦିନ ସଂଗରୋଧରେ ରହିବା ପରେ ବିନା ସ୍ୱାବ ପରିକ୍ଷାରେ ଜୁନ ୧୮ ତାରିଖରେ ନିଜ ଘରକୁ ଫେରି ହୋମ କ୍ୱାରେଟାଂଇନରେ ରହିଥିଲେ । କିନ୍ତୁ ୨ ଦିନ ପରେ ସେମାନଙ୍କର ଲକ୍ଷଣ ଦେଖାଯିବାରୁ ଆମ୍ବୁଲାନ୍ସ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ସଂଗରୋଧ କେନ୍ଦ୍ରରେ ରହିବା ପରେ ସ୍ୱାବ ପରୀକ୍ଷା ହେବା ପରେ ଦୁଇ ଜଣଙ୍କର ପଜିଟିଭି ଆସିଥିବା ଜଣାଯାଇଛି । କିନ୍ତୁଏମାନଙ୍କର କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । କାରଣ ତାଙ୍କର ପରିବାର ଅନ୍ୟ ସଦସ୍ୟମାନେ ବାହାରକୁ ଆସି ବିଭିନ୍ନ ଦୋକାନ ଆଦି ସଉଦା ଆଣିବା ସହିତ ଗାଁରେ ବୁଲାବୁଲି କରିଛନ୍ତି । ଯଦି ତାଙ୍କ ସଂର୍ସ୍ପଶରେ ଆସିଥିବେ ତେବେ ଗୋଷ୍ଠୀ ସଂର୍କମଣର ହେବା ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ପଂଚାୟତର ସରପଂଚ ଅମିନା ସ୍ୱାଇଁ ଓ ବ୍ଲକ ପ୍ରଶାସନଙ୍କ ବିଚାରବିମର୍ଶ ପରେ ପଂଚାୟତର ୪ନମ୍ବର ୱାର୍ଡ ତଥା ବାଲିସାହି ଗାଁକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଓଷକଣା ପଂଚାୟତର ଭଟଣା ଗ୍ରାମକୁ ଜୁନ ୧୪ରେ ଜୈନିକ ବ୍ୟକ୍ତି ଓ ତାଙ୍କ ପରିବାରଙ୍କୁ ମିଶାଇ ୩ ଜଣ ସଦସ୍ୟ ପଶ୍ଚିମବଙ୍ଗରୁ ନିଜସ୍ୱ ଗାଡିରେ ସିଧା ଘରକୁ ଆସିଥିଲେ । ଘରକୁ ଆସିବା ସମୟରେ ପରିବାରର ସମସ୍ତ ସଦସ୍ୟ ଭୂବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ସ୍ୱାବ ପରୀକ୍ଷା ପାଇଁ ନମୁନା ପ୍ରଦାନ କରିଥିଲେ । ସଙ୍ଗରୋଧ କେନ୍ଦ୍ରରେ ନ ରହି ଉକ୍ତ ଦିନ ଘରକୁ ଆସି ଗାଁର ବିଭିନ୍ନ ସ୍ଥାନକୁ ବୁଲିବା ସହିତ ସ୍ଥାନୀୟ କୋରୁଅ, ଗଙ୍ଗଦାହାଟ ଆଦି ବୁଲିଥିଲେ । ଉକ୍ତ ଦିନ ସେ ୧୦ଟା ବେଳେ ପହଂଚି ଅପରାହ୍ନରେ ପୁନର୍ବାରରେ ଫେରିଯାଇଥିଲେ । ହେଲେ ଜୁନ ୧୬ ରେ ଉଭୟ ପତିପତ୍ନୀଙ୍କର ରିପୋର୍ଟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଥିଲେ । ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ପଂଚାୟତର ସରପଂଚ ସାଗରୀକା ବେହେରା ଭଟଣା ଗ୍ରାମକୁ ୧୬ ତାରିଖ ରାତିରେ କଂଟେନମେଂଟ ଜୋନ ଭାବେ ଘୋଷଣା କରି ଗ୍ରାମର ୧୩ ନମ୍ବର ୱାର୍ଡର ସମସ୍ତ ସୀମାକୁ ସିଲ୍ କରିଥିଲେ । କିନ୍ତୁ ୧୭ ତାରିଖରେ ପୂର୍ଣ୍ଣବାର ସଂଧୟାରେ ଘଟଣା ଗ୍ରାମର ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଥିଲା । ଏହା ପରେ ସଂକ୍ରମିତଙ୍କ ପରିବାରରେ ୧୦ ଜଣଙ୍କର ଜୁନ୍ ୨୧ ରେ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା । ଏଥିରେ ଜଣଙ୍କର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୨୩ ବର୍ଷ ଯୁବକ ପୂର୍ବରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କ ପୁତୁରା ଅଟନ୍ତି । ଉକ୍ତ ଯୁବକ ଜଣକ ସ୍ଥାନୀୟ ଗଙ୍ଗଦାହାଟ ଆସିବା ସହିତ ଶତାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆହୁରି କରୋନା ସଂକ୍ରମିତ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ଉକ୍ତ ପଂଚାୟତର ୧୩ ନମ୍ବର ୱାର୍ଡର କଂଟେନମେଂଟ ଜୋନକୁ କଡାକଡି ଭାବେ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ଚିହ୍ନଟ ହୋଇଥିବା ସଂପର୍କିୟଙ୍କ ପୁତୁରା କାହା କାହା ସଂସ୍ପର୍ଶରେ ଆସିଛନ୍ତି କଂଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଶାସନ ପକ୍ଷରୁ ବିଡିଓ ରଶ୍ମୀରେଖା ମଲ୍ଲିକ, ଜଗତିସଂହପୁର ଏଡିଏମଓ ,ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷ ଡାକ୍ତର ସୁନନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।