ନାମାଙ୍କନ ପତ୍ର ଦାଖଲ କରିପାରିଲେନି ପ୍ରାର୍ଥୀ

ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ବ୍ଳକର ପ୍ରାୟ ୨୨ଟି ପଞ୍ଚାୟତରେ ଭୋଟରଙ୍କ ନାମ ବାଦ ପଡିବା, ଆଶାୟୀ ପ୍ରାର୍ଥୀଙ୍କ ନାମ ନଥିବା, ନିଜ ୱ।ର୍ଡରେ ଭୋଟରଙ୍କ ନାମ ନ ଥାଇ ଅନ୍ୟ ୱ।ର୍ଡରେ ନାମ ରହିଥିବା, ଧନୁପଙ୍କ ଗ୍ରାମର ୧୫ ନମ୍ବର ୱ।ର୍ଡର ୮୦ ଭୋଟରଙ୍କ ନାମ ତାଲିକାରେ ଆଦୌ ନ ଥିବାରୁ ସରପଞ୍ଚ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀନୀ ସୁନିତା ମଳିକ ବ୍ଳକକୁ ଆସିଥିଲେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନପାରି ଦୁଃଖ ପ୍ରକାଶ କରିଥିଲେ। ସେହିପରି ୧୧,୧୨, ୧୩,୧୪ ନମ୍ବର ୱ।ର୍ଡର ଭୋଟରଙ୍କ ନାମ ପରିବର୍ତ୍ତନ ଓ ତାଲିକାରୁ ବାଦ ପଡିଥିବା ଜଣାପଡିଛି । ମୋହନା ପଞ୍ଚାୟତର ଖାରିଗୁଡା ୱ।ର୍ଡ ନମ୍ବର ୪ରେ ୱ।ର୍ଡ ସଭ୍ୟା ଭାବେ ଆଶାୟୀ ପ୍ରାର୍ଥୀ ମିନି ନାୟକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିଥିବା ଯୋଗୁଁ ସେ ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଆସିଥିଲେ । ଜିରାଙ୍ଗ ପଞ୍ଚାୟତରେ ସମିତିସଭ୍ୟା ପାଇଁ ଆଶାୟୀ ପ୍ରାର୍ଥୀ ଭାବେ ସୁଲକ୍ଷଣି ବେହେର ଦଳାଇ ଓ ତାଙ୍କ ସମର୍ଥକମାନେ ଆସିଥିବା ବେଳେ ତାଙ୍କ ନାମ ବାଦ ପଡିଥିବା ଓ ସେହିପରି କରଚବାଡି ପଞ୍ଚାୟତର ୬ ନମ୍ବର ୱ।ର୍ଡରେ ଅନ୍ତର୍ଭୁକ୍ତ ଲୁଦୁପଙ୍କା, ତାଲିମେରା,ରାଲଡିପଙ୍କା ଗ୍ରାମର ପ୍ରାୟ ୨୧୦ ଭୋଟର ତାଲିକାରେ ନାମ ନାହିଁ । ଲୁଦୁପଙ୍କା ଗ୍ରାମର ସମିତି ସଭ୍ୟ ପାଇଁ ଆଶାୟୀ ପ୍ରାର୍ଥୀ ଦାଉଦ ଗମାଙ୍ଗଙ୍କ ତାଲିକାରେ ନାମ ନଥିବାରୁ ସେ ନାମାଙ୍କନ ପତ୍ର ଦାଖଲ କରିପାରିଲେ ନାହିଁ । ଉକ୍ତ ପଞ୍ଚାୟତ ଅଧିନ ଖଜୁରୀପଦା, ଲୁଦୁହେରି, ବୁଢାପଙ୍କା ଗ୍ରାମର ୨୨୦ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଛି। ସେହିପରି ସ୍ଥାନୀୟ ବ୍ଳକର ୨୨ଗୋଟି ପଞ୍ଚାୟତରେ ଭୋଟର ମାନଙ୍କ ତାଲିକାରେ ବାଦ ପଡିଥିବାରୁ ଭୋଟରମାନେ ବାରମ୍ଵାର ବ୍ଳକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲାପାଳଙ୍କୁ ମଧ୍ୟ ଫାକ୍ସ ଜରିଆରେ ଏବଂ ଇମେଲ ଯୋଗେ ଜଣାଇବା ପରେ ଜିଲ୍ଲାପାଳ ଏହାର ସମାଧାନ କରିବାପାଇଁ ମେଲ ଯୋଗେ ବ୍ଳକକୁ ଜଣାଇଥିଲେ । ତଥାପି ସମସ୍ୟାର ସମାଧାନ ନହେବାରୁ ବିଭିନ୍ନ ପଞ୍ଚାୟତରୁ ଆଶିଥିବା ଲୋକେ ୩ ଘଣ୍ଟାଧରି ବ୍ଳକ କାର୍ଯ୍ୟାଳୟ ଫାଟକ ଆଗରେ ଧାରଣା ଦେଇଥିଲେ । ପରେ ମୋହନା ଥାନା ଅଧିକାରୀ ପହଞ୍ଚି ବିଡିଓଙ୍କ ସହ ଆଲୋଚନା କରିବାପରେ ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ଵସନା ଦେବାରୁ ଲୋକେ ଧାରଣାରୁ ହଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ