ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ତ୍ରିପାଠୀଙ୍କ ସ୍ମୃତିଚାରଣ ଦିବସ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣୀ ସେବା ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ, ଉପମହାନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ୫ମ ସ୍ମୃତିଚାରଣ ଦିବସ ପ୍ରାତଃ କାଳରେ ଫାଉଣ୍ଡେସନର ଶାଖା କାର୍ଯ୍ୟାଳୟ ୟୁନିଟ୍-୯ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ମୃତିସଭାରେ ଫାଉଣ୍ଡେସନର ସଭାପତି ଶିବନାରାୟଣ ମିଶ୍ର ଅଧ୍ୟକ୍ଷତା କରି ସ୍ୱର୍ଗତ ତ୍ରିପାଠୀ ସମ୍ବାଦ ଓ ସାମ୍ବାଦିକତା ତଥା ସମାଜସେବା କ୍ଷେତ୍ରରେ ଏକ ମହାନ୍ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ସତ୍ୟନଗରସ୍ଥିତ ସତ୍ୟକାଳୀ ବସ୍ତିରେ ଅସହାୟ, ଅଭାବୀ ୪୪ଟି ପରିବାରକୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଣ୍ଟନ କରାଯିବା ସହିତ ସରକାରଙ୍କ କୋଭିଡ୍ ସଚେତନତା, ସ୍ୱଚ୍ଛତା ପ୍ରମୁଖ ସମ୍ବନ୍ଧରେ ଅବଗତ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ସମ୍ପାଦିକା ସମିତା ମହାରଣା ଓ ପ୍ରତିଷ୍ଠାତା ସମାଜସେବୀ ସୀତାଂଶୁ ଶେଖର ମହାରଣା ଯେଗାଦେଇ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଆଲୋକପାତ କରିବା ସହିତ ଆଜିର ଯୁବପିଢୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରଜବନ୍ଧୁ ପରିଡ଼ା, ଲକ୍ଷ୍ମୀଧର ପାଇକରାୟ, ମଦନମୋହନ ପାଢୀ, ସୁରେନ୍ଦ୍ର କୁମାର ସାହୁ, ଦୀପକ କୁମାର ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।