ନାରୀର ଅନ୍ୟ ନାମ ଦେବୀ

ସମସ୍ତଙ୍କ ଜୀଵନର ସଙ୍ଗୀତ ଠିକ ଠାକ ଲୟ ସ୍ୱର ତାଳରେ ବୋଲୁବୋଲୁ ଯଦି ବେସୁରା ହୋଇଯାଏ ଜୀଵନ ଗୀତ ସୁଲଳିତ ଶୁଭେ ନାହିଁ ଯେମିତି ଆଦିକନ୍ଦ ବାବୁଙ୍କ ଜୀଵନ ଗୀତ ଠିକ ଠାକ ବାଜୁଥିବା ବେଳେ ସ୍ୱର ଲୟ ତାଳରେ ମେଳ ଥିଲାବେଳେ ଜୀଵନ ଗାଡି ଚାଲୁଥିଲା ଠିକ ଠିକ. ପତ୍ନୀ ଓ କନ୍ୟାଙ୍କୁ ନେଇ ସୁଖର ସଂସାର ଗଡି ଚାଲିଲା ବେଳେ ଆଜି ସେହି ସଂସାର ସଂଗୀତର ତାଳ ବେତାଳ ଧରିଛି ଯେବେ ଲଷ୍ମୀ ତା ପୁଅକୁ ସାଙ୍ଗରେ ଧରି ସୁଦୂର ମାଳକାନାଗିରିର ଦୁର୍ଗମ ଘାଟି ଡେଇଁ ଆଦିକନ୍ଦବାବୁଙ୍କ ଘରେ ପହଞ୍ଚିଛି. କଥା କିଛି ନଥିଲା କାରଣ ପତ୍ନୀ ମିନତି ଖୁବ ପରୋପକାରୀ, ବନ୍ଧୁବାନ୍ଧବୀ ବତ୍ସଳ ଓ ଅତିଥି ସେବାକୁ ପରମବ୍ରତ ରୂପେ ମାନିଥାଆନ୍ତି. ଯେମିତି କଥାରେ ଅଛି ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ…ଘରଣୀ ଥିଲେ କି ହେବ ପରଆତ୍ମା ନଚିହ୍ନିଲେ. ମିନତି ପରଆତ୍ମା ଚିହ୍ନିବାରେ ଧୁରନ୍ଧର. ଏମିତି କେତେ କିଏ ଆଦିକନ୍ଦବାବୁଙ୍କ ପୁରୁଣା ଜାଗାର ସହକର୍ମୀ, ଚିହ୍ନା ପରିଚୟ ବେଳ ଅବେଳରେ ପହଁଞ୍ଚି ଆତିଥେୟତା ଗ୍ରହଣ କରିଛନ୍ତି କିନ୍ତୁ ଲଷ୍ମୀ କଥା ଟିକେ ଅଲଗା ସେ ଆଦିକନ୍ଦବାବୁଙ୍କ ସଙ୍ଗେ ଏମିତି ମିଶୁଥିଲା ଯେମିତି ତାଙ୍କ ସ୍ତ୍ରୀ. ଜିଭ କାମୁଡି ପକାନ୍ତି ମିନତି. କଣ ସେ ଭାବୁଛନ୍ତି?? ଅନ୍ୟ କଥାରେ ପଡି ତାଙ୍କ ଦେବତା ଭଳି ସ୍ୱାମୀଙ୍କୁ ସନ୍ଦେହ କରୁଛନ୍ତି!କାହିଁ ରାଣୀ କାହିଁ ଚନ୍ଦରକାଣୀ!ଅଶିକ୍ଷିତା, ଜନଜାତିର ବିଧବା ମହିଳା ଦିନେ ଯେତେବେଳେ ଅତୀତରେ ସ୍ୱାମୀଙ୍କର ସବୁ କଥା ଅର୍ଥାତ ଖାଇବା ପିଇବା, ଦେହ ମୁଣ୍ଡ, ଭଲମନ୍ଦ ବୁଝୁଥିଲା ନା? ଆଜି ବି ସେ ବୟସର ଅପରାହ୍ନରେ ଉପନୀତ. ଏକମାତ୍ର ପୁତ୍ରକୁ ପାଠ ଶାଠ ପଢ଼େଇ କୋଉଠି ଟିକେ ଚାକିରୀରେ ରଖାଇଦେବାକୁ ସୁପାରିସ କରିବାକୁ ଆସିଛି ଲଷ୍ମୀ. ତାଙ୍କୁ ମଧ୍ୟ ଘରକାମରେ ଖୁବ ସାହାଯ୍ୟ କରୁଛି. ତେବେ ସେଥିରେ ମିନତିଙ୍କର ଅସନ୍ତୁଷ୍ଟ ହେବାର କିଛି କାରଣ ନାହିଁ. କଥାରେ ଅଛି ସ୍ଵ ଜାତି ପରହିଂସ୍ରିକ.ବୟସ ଯେତେ ବଢୁ ନା କାହିଁକି ନିଜ ସ୍ୱାମୀଙ୍କ ଆନ୍ତରିକତା ବା ସାମାନ୍ୟତମ ଆଦର ଯତ୍ନ ଅନ୍ୟ ସ୍ତ୍ରୀ ଲୋକ ପ୍ରତି ସହିବା କଷ୍ଟ ଦାୟକ. ସେ ଯେତେବଡ଼ ବିଚାରଵନ୍ତ ବା ମହିୟସୀ ମହିଳା ହୁଅନ୍ତୁ ନା କାହିଁକି ତ ମିନତି ନିଜ ମନକୁ ବୁଝେଇ ଦିଅନ୍ତି. ସେତେବେଳେ ଶାଶୁ ଶଶୁରଙ୍କ ସହିତ ଯୌଥ ପରିବାରର ଯାବତୀୟ ଭଲ ମନ୍ଦ ବୁଝୁ ବୁଝୁ ସେ ସ୍ୱାମୀଙ୍କ ସହ ଯାଇପାରନ୍ତିନି ବିଭିର୍ନ୍ନ ଜାଗାକୁ ତ ମାଲକାନାଗିରିରେ ଥିବା ସମୟରେ ଏଇ ଲଷ୍ମୀ ହିଁ ବୁଝୁଥିଲା ଆଦିକନ୍ଦବାବୁଙ୍କ ସବୁକିଛି ତ ଏମିତି ଖରାପ ଭାବିଲେ କେମିତି ହେବ ବୋଲି ମିନତି ମନକୁ ବୁଝେଇ ଦେଲା ବେଳେ ଲଷ୍ମୀର ପୁଅକୁ ଦେଖି ସମସ୍ତେ ଯେବେ କୁହନ୍ତି ପୁରା ଆଦିକନ୍ଦ ବାବୁଙ୍କ ଚେହେରା ଆଣିବା ପରି ଦେଖାଯାଉଛି ଲଷ୍ମୀର ପୁଅ. ସେତେବେଳେ ମିନତି ସହି ପାରନ୍ତିନି.କିଏ କହେ ଏମିତି କେମିତି ସାମାଞ୍ଜସ୍ୟ ହେଲା ତ କିଏ କହେ ଆଦିକନ୍ଦବାବୁଙ୍କ ଝିଅର ଭାଇ ଥିଲେ ଠିକ ସୁରେଶ ମହାଳିକ ଭଳି ଦେଖାଯାଆନ୍ତା. ଝିଅ ମଧ୍ୟ ଏ ଭିତରେ ଶୁରେଶ ସହିତ ଏମିତି ମିଶି ଯାଇଛି ଯେ କୋଉ କୂଳର ହେବେ ସ୍ଥିର କରିନପାରି ବ୍ୟସ୍ତ ବିଚଳିତ ହୁଅନ୍ତି ମିନତି. ବଢିଲା ଝିଅ ଓ ବଢିଲା ପୁଅ ଭିତରେ ନିଆଁ ଓ ଘିଅର ସମ୍ପର୍କ ଭିତରେ ଯଦି କିଛି ଅଘଟଣ ଘଟେ!
ସମସ୍ତ ଆଶଙ୍କାକୁ ଦୂରେଇ ସେଦିନ ରାକ୍ଷୀ ବାନ୍ଧିଥିଲା ଝିଅ ଅଙ୍କିତା ଭାଇ ଶୁରେଶକୁ ତ ମିନତି କେତେକାଂଶରେ ଆଶ୍ଵସ୍ତ ହୋଇଥିଲେ. ମନର ସଂକୀର୍ଣ୍ଣତାକୁ ପ୍ରଶୟ ନଦେଇ ଶୁରେଶର ଚାକିରୀ କରାଇଦେବାକୁ ସ୍ୱାମୀଙ୍କ ସହ ଲାଗିରହିଥିଲେ. ଏ ଭିତରେ ଶୁରେଶର ଚାକିରୀ ହୋଇଯାଇଥିଲା. ବାପ ଛେଉଣ୍ଡ ଅନାଥ ସୁରେଶ ପାଇଁ ଆଦିକନ୍ଦ ବାବୁ ସବୁ କରୁଥିଲେ ବାପ ପରି କିନ୍ତୁ ସେଦିନ ଲଷ୍ମୀର ଦେହ ସାଙ୍ଘାତିକ ହୋଇଗଲା ପରେ ହସ୍ପିଟାଲ ସୁବିଧା ଥିବା ସହରରେ ତାଙ୍କ ଘରେ ସବୁଦିନ ପାଇଁ ରହିଯିବାକୁ ଅନୁରୋଧ କରିଥିଲେ ଆଦିକନ୍ଦବାବୁ ତ ମିନତି ପ୍ରତିବାଦ କରିନଥିଲେ କାରଣ ଲଷ୍ମୀ ଏଣିକି ଘରର ସବୁକାମ କରିନେଉଥିଲେ. ଏମିତି ଏମିତି ଆଦିକନ୍ଦ ଓ ମିନତିଦେବୀଙ୍କ ସଂସାରର ଜୀଵନସଂଗୀତ ଗଡି ଚାଲିଥିବା ବେଳେ ଅଙ୍କିତାର ବାହାଘର ମଧ୍ୟ ହୋଇ ସାରିଥିଲା. ଲଷ୍ମୀଙ୍କର ରୋଗ ବଢ଼ି ସେ ମୃତ୍ୟୁ ମୁଖରେ ପଡିବା ପରିବାରରେ ଶୋକାକୁଳ ପରିସ୍ଥିତିଆଣି ଦେଇଥିବା ବେଳେ ଶୁରେଶକୁ ନିଜ ପସନ୍ଦର ଝିଅ ବାହାକରାଇ ମିନତି ତାକୁ ନିଜ ଘରେ ପୁଅ ବୋହୂ କରି ରଖିବା କଥାଟି କେହି ସିନା ଗ୍ରହଣ କରିପାରୁନଥିଲେ କିନ୍ତୁ ଆଦିକନ୍ଦବାବୁ ଖୁବ ଖୁସି ଥିଲେ କାରଣ ସେ ହିଁ ଜାଣିଥିଲେ ମଙ୍ଗଳୁ ମାହାଳିକ ଶୁରେଶ ପରି ପୁଅର କଣ କାହାର ବି ପିତା ହେବାକୁ ଅକ୍ଷମ ଥିଲା. ସେତେବେଳେ ଲଷ୍ମୀ ନେହୁରା ହୋଇଥିଲା ଆଦିକନ୍ଦ ବାବୁଙ୍କ ପାଖରେ ତାକୁ ମାତୃତ୍ୱ ଦେବାକୁ କାରଣ ମଙ୍ଗଳୁ ସେହି ଅଫିସର ସରକାରୀ କର୍ମଚାରୀ ହେଲେ ମଧ୍ୟ ମଦ ତା ପୌରୁଷକୁ ଧ୍ବଂସ କରିବା ସହ ସେ ଲଷ୍ମୀ ମାଆ ହୋଇପାରୁନି ବୋଲି ତାକୁ ଅତ୍ୟାଚାର କରିଚାଲିଥିଲା. ଲଷ୍ମୀର ଏହି ଅନୁରୋଧକୁ ଏଡେଇ ଯାଇ ତାଙ୍କ ସଂସାରର ଧ୍ବଂସ ଦେଖିପାରିବେ ନାହିଁ କହି ଲଷ୍ମୀକୁ ନିରାଶ କଲାପରେ ସେଦିନ ବର୍ଷଣ ମୁଖର ରାତିରେ ମଙ୍ଗଳୁ ମହାଳିକର ଅନୁପସ୍ଥିତିରେ ଲଷ୍ମୀ ସହ ଯାହା ଘଟିଯାଇଥିଲା ସେସବୁର ପ୍ରମାଣ ହିଁ ଶୁରେଶ ବୋଲି ନିଜ ମନକୁ ନିଜେ କେମିତି ଫାଙ୍କି ଦେଇ ପାରିବେ ଆଦିକନ୍ଦ?ତା ପରେ ପରେ ଆଦିକନ୍ଦ ସେଇଠୁ ବଦଳି ହୋଇ ଆସିବା ପରେ ଜୀବନରେ ଆଉ କେଵେ ଲଷ୍ମୀକୁ ଭେଟିବେ ବୋଲି ଭାବିନଥିବା ବେଳେ ଲଷ୍ମୀ ହିଁ ତାଙ୍କ ଜୀଵନ ସଂଗୀତର ବେତାଳ ସ୍ୱର ସଂଗୀତ ସାଜି ପୁଣି ତାଙ୍କ ଜୀବନରେ ଦେଖା ଦେବ ସେ ଜାଣିନଥିଲେ ମଧ୍ୟ ମିନତି ତାଙ୍କ ଡାଇରୀ ପଢି ସବୁ ଜାଣି ଶୁରେଶକୁ ସବୁଦିନ ପାଇଁ ନିଜର କରିନେଇ ନିଜ ଉଦାରତା ପ୍ରତିପାଦନ କରି ପ୍ରମାଣିତ କରିଥିଲେ ନାରୀ ସର୍ବଂସହା ମା ଧରିତ୍ରୀ. ଏଥର ଛୁଟିରେ ଶୁରେଶ ସହ ପ୍ରୟାଗ ଯାଇ ମଙ୍ଗଳୁ ମହାଳିକ ଓ ଲଷ୍ମୀ ମହାଳିକ, ଉଭୟ ପିତା ମାତାଙ୍କ ଅସ୍ଥି ବିସର୍ଜ୍ଜନ କରି କର୍ତ୍ତବ୍ୟ ସମ୍ପାଦନ କରିବାରେ ପୁତ୍ର ଶୁରେଶ ଓ ବଧୂ ସହ ସ୍ୱାମୀଙ୍କ ସାହାୟତା ଲୋଡ଼ିବା ମିନତିଙ୍କୁ ଯେତିକି ମହନୀୟ କରିଥିଲା ମିନତି ପରିସ୍ଥିତିକୁ ବୁଝି ସ୍ୱାମୀଙ୍କୁ କ୍ଷମା କରିଦେଇଥିବାରୁ ଆଦିକନ୍ଦବାବୁ ସେତିକି ଆଶ୍ବସ୍ତି ଲାଭ କରି ଭାବୁଥିଲେ ତାଙ୍କ ସ୍ତ୍ରୀ ମାନବୀ ରୂପେ ଦେବୀ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ