ନିଖିଳ ଓଡ଼ିଶା ମାଝୀ ପାର୍ଗାନା ମହଲ ପକ୍ଷରୁ ବିକ୍ଷୋଭ ସମାବେଶ
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ମାଝୀ ପାର୍ଗାନା ମହଲ ବାଲେଶ୍ୱର ଶାଖା ପକ୍ଷରୁ ବିକ୍ଷୋଭ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସମ୍ପ୍ରଦାୟର ଶତାଧିକ ମହିଳା ପୁରୁଷ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିିଥିଲେ । ବିଭିନ୍ନ ପାରମ୍ପରିକ ଅସ୍ତ୍ର ପ୍ରଦର୍ଶନ ସହ ମାଦଳ ତାଳେ ତାଳେ ନୃତ୍ୟ କରି ମହିଳା ଓ ପୁରୁଷମାନେ ଶୋଭାଯାତ୍ରାରେ ଆସିଥିବା ଦେଖିବାକୁ ମିଳିଥିଲା । ମାଧ୍ୟମରେ ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଓଡ଼ିଶା ମାଝୀ ପାର୍ଗାନା ମହଲର କର୍ମକର୍ତ୍ତାମାନେ ଆଦିବାସୀ ସମାଜ ପ୍ରତି ସରକାରୀ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ବିଶେଷ କରି ସ୍ୱାଧୀନତା ଆନ୍ଦୋଳନରେ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ ସହିଦ ହୋଇଥିବା ସିଦ୍ଧୁ କାହ୍ନୁ ହୁଲଙ୍କ ସ୍ମରଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଆଦିବାସୀ ନେତାମାନେ କହିଥିଲେ । ବିଶେଷ କରି ସ୍ୱାଧୀନତାର ୭୫ବର୍ଷ ପରେ ବି ଆଦିବାସୀମାନେ ଅବହେଳିତ ହୋଇ ରହିବା ବାସ୍ତବିକ ଦୁଃଖ ଓ ପରିତାପର ବିଷୟ ବୋଲି ସେମାନେ କହିଥିଲେ । ସାନ୍ତାଳୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ, ପ୍ରାଥମିକସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାର ଶିକ୍ଷା ପ୍ରଚଳନ, ସାନ୍ତାଳୀ ଶିକ୍ଷାକୁ ପରିଚାଳନା ଓ ତ୍ୱରାନ୍ୱିତ କରିବା ପାଇଁ ସାନ୍ତାଳୀ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବୋର୍ଡ଼ ଗଠନ, ଅଲିଚିକି ଭାଷା ଶିକ୍ଷା ସହାୟକଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଅଙ୍ଗନବାଡି କେନ୍ଦ୍ରରେ ଆଦିବାସୀ ଶିଶୁଙ୍କୁୁ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ, ଓଡିଶାରେ ସାନ୍ତାଳୀ ଏକାଡେମୀ ପ୍ରତିଷ୍ଠା, ଆଦିବାସୀ ସମ୍ପ୍ରଦାୟର ସାରନା ଧର୍ମକୁ ସ୍ୱତନ୍ତ୍ର କୋଡ଼ ଭିତ୍ତିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ଓଡ଼ିଶା ସିଭିଲ ସର୍ଭିସ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସାନ୍ତାଳୀ ଭାଷାକୁ ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଆଦିବାସୀ ନେତାମାନେ ଦାବି କରିଥିଲେ । ଦାବି ପୂରଣ ନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ମାଝୀ ପାର୍ଗାନା ମହଲ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏନେଇ ସଂଗଠନ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ମାଝୀ ପାର୍ଗାନା ମହଲ ଜିଲା ସଭାପତି ବୁଧିରାମ ମାଝୀଙ୍କ ସମେତ ଜିତେନ୍ଦ୍ର ହାଁସଦା, ଈଶ୍ୱର ହାଁସଦା, ବିଜୟ ମୁର୍ମୁ, ରଘୁନାଥ ହେମ୍ବ୍ରମ, ଦଶରଥ କିସ୍କୁ, ନବୀନ ହାଁସଦା, ଶମ୍ଭୁନାଥ ଟୁଡୁ, ଲକ୍ଷ୍ମୀଧର ମାଝୀ, ଦୁଃଖିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।