ନିଖିଳ ଓଡିଶା ଗାଁ ସାଥି ସଙ୍ଘ ଜିଲ୍ଲା କମିଟିର ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦେଶ ସ୍ୱାଧୀନତାର ୭୩ବର୍ଷ ପରେ ଶିକ୍ଷିତ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଦେବା ସାମ୍ବିଧାନିକ ଅଧିକାର ପରିସର ଭୁକ୍ତ ହୋଇପାରିଲା ନାହିଁ । ପରନ୍ତୁ ୨୦୦୫ମସିହାରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରି ପ୍ରତ୍ୟେକ ପରିବାରକୁ ଏକଶହ ଦିନର କାମଦେବା ପାଇଁ କେନ୍ଦ୍ର ସରକାର ଯୋଜନା କଲେ । ଏହି ଯୋଜନାର ସଫଳ ରୂପାୟନ ପାଇଁ ୨୦୦୭ମସିହାରେ ବ୍ଲକ ମାଧ୍ୟମରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ସର୍ବୋଚ ଶିକ୍ଷିତ ଏବଂ ଚାକିରୀ କରିବାର ବୟସ ଥାଇ ୨ଜଣଙ୍କୁ ଗାଁ ସାଥି ଭାବେ ସରକାର ନିଯୁକ୍ତି ଦେଲେ । ସମସ୍ତ ମନରେଗା କାମକୁ ଗାଁ ସାଥିମାନେ ତଦାରଖ କରିବେ ଓ ତାଙ୍କର ପାରିଶ୍ରମିକ ପାଇବେ । ମାତ୍ର କୋଭିଡ-୧୯ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ବିଶ୍ୱର ଜନସମୁଦାୟ ଏହାକୁ ପ୍ରତିହତ କରିବା ପାଇଁ ନିଷ୍ଠାର ସହିତ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଆମ ଦେଶ ଓ ରାଜ୍ୟ ମଧ୍ୟ କରୋନା ହଟିବ ଆମେ ଜିତିବୁ ଲକ୍ଷ୍ୟରେ ଆଗେଇ ଚାଲିଛି । ଠିକ ଏହି ସମୟରେ ଆମ ରାଜ୍ୟକୁ ବାହାର ଦେଶ ଓ ଅନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ପ୍ରବାସୀ ଫେରି ଯେଉଁ କାମକରି ପ୍ରବାସୀମାନେ ପରିବାର ପ୍ରତିପୋଷଣ କରୁଥିଲେ ଗାଁ କୁ ଆସିବା ପରେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ପ୍ରତ୍ୟେକ ଗ୍ରାମପଂଚାୟତର ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ମନରେଗା କାମ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସେମାନେ ନିଜେ ବଂଚିବା ସହିତ ପରିବାରକୁ ବଂଚାଇବା ପାଇଁ ଏବଂ ଦେଶର ଅର୍ଥନୀତିକୁ ସଠିକ ରଖିବା ଉଦେଶ୍ୟରେ ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ସେହି ପ୍ରବାସୀମାନଙ୍କୁ ଯେଉଁ ଗାଁ ସାଥିମାନେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ମନରେଗା ପ୍ରକଳ୍ପରେ ଲଗାଇ କାର୍ଯ୍ୟ ତଦାରଖ କରିବେ ସେମାନଙ୍କୁ ଏଥିରେ ସାମିଲ କରି ପ୍ରାପ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନରେ ଗୋପସ୍ଥିତ ଏକ ବେସରକାରୀ ସ୍କୁଲ ପରିସରରେ ନିଖିଳ ଓଡିଶା ଗାଁ ସାଥି ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ଏକ ବୈଠକ ଜିଲ୍ଲା ସଭାପତି ରମଣୀରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗାଁ ସାଥିମାନଙ୍କୁ ମନରେଗାରେ ତୁରନ୍ତ ସାମିଲ କରାଯାଇ ପାରିଶ୍ରମିକ ପ୍ରଦାନ,ଗାଁ ସାଥିଙ୍କୁ ଉପେକ୍ଷା କରାଯାଇ ଅନ୍ୟ ଲୋକଙ୍କୁ ମନରେଗାରେ ସାମିଲ ବନ୍ଦ କରାଯିବା,କୋଭିଡ -୧୯ କରୋନା ସମୟରେ ଗାଁ ସାଥିଙ୍କୁ ନିଯୁକ୍ତି ସୁନିଶ୍ଚିତ କରାଯିବା,ମନରେଗା ପ୍ରକଳ୍ପରେ ମେସିନର ବ୍ୟବହାର ବନ୍ଦ କରାଯିବା, ଦେଉଳପଡା, ଲାଞ୍ଜୁଡା, ବାରଡାଙ୍ଗ ଗ୍ରାମପଂଚାୟତରେ ଗାଁ ସାଥିଙ୍କୁ କାମରେ ସାମିଲ କରାଯିବା,ସରକାର ଘୋଷଣା କରିଥିବା ମାସିକ ୧୦ଦିନର କାମ ପ୍ରତ୍ୟେକ ଗାଁ ସାଥିଙ୍କୁ ଦିଆଯିବା,ଗାଁ ସାଥିଙ୍କୁ ଜିଆରଏସଙ୍କ ସହିତ ପଂଚାୟତରାଜ ବିଭାଗର ଅନ୍ୟ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବା,ଗାଁ ସାଥିଙ୍କୁ ମାସିକ ୧୦ହଜାର ଟଙ୍କା ଲେଖାଁଏ ସରକାର କରୋନା ସହାୟତା ରାଶି ପ୍ରଦାନ କରିବା ପ୍ରଭୃତି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରକାର ଏସବୁ ଦାବି ଗୁଡିକ ପୁରଣ କରିବା ଦାବିରେ ଆସନ୍ତା ୧୮ତାରିଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଘ ପକ୍ଷରୁ ବିକ୍ଷୋଭ ସମାବେଶ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ସଙ୍ଘର ଜିଲ୍ଲା ଉପସଭାପତି ନିତ୍ୟସୁନ୍ଦର ଜେନା,ମୁକୁନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ