ନିଖିଳ ଓଡିଶା ଗାଁ ସାଥି ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ତୁରନ୍ତ ମହିଳା ସାଥି ନିଯୁକ୍ତି ବାତିଲ କରାଯିବା ପାଇଁ ନିଖିଳ ଓଡିଶା ଗାଁ ସାଥି ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦାବି କରାଯିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ଦେଶ ସ୍ୱାଧୀନତାର ୭୪ବର୍ଷ ପରେ ନିଯୁକ୍ତି ସାମ୍ବିଧାନିକ ଅଧିକାର ପରିସର ଭୁକ୍ତ ହୋଇନଥିବା ବେଳେ ୨୦୦୭ମସିହାରେ କେନ୍ଦ୍ର ସରକାର ଏମ.ଜି.ଏନ.ଆର.ଇ.ଜି.ଏ.ନାମକ ଏକ ଆଇନ ଆଣିଲେ । ଯେଊଁ ଆଇନରେ ପ୍ରତ୍ୟେକ ପରିବାର ବର୍ଷକୁ ନିଶ୍ଚିତ ଏକଶହ ଦିନର କାମ ପାଇବେ । କାମ ନପାଇଲେ ଭତ୍ତା ପାଇବ । ସଚେତନ ନାଗରିକମାନେ ଆଶା କରିଥିଲେ ଏହି ଯୋଜନା କ୍ରମେ ବୃଦ୍ଧି ହୋଇ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତି ବର୍ଷସାରା କାମ ପାଇବେ । ମାତ୍ର ତାହା ହେଲା ନାହିଁ । ଏହି ଯୋଜନାକୁ ସୁପରିଚାଳନା ପାଇଁ ଦେଶସାରା ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଦୁଇଜଣ ମେଟ ବା ସାଥି ଥିବା ବେଳେ ଓଡିଶା ସରକାର ବିଜ୍ଞାପନ ପ୍ରକାଶ କଲେ ଯେ ମାସିକ ୨ହଜାର ୫ଶହ ଟଙ୍କା ପାରିଶ୍ରମିକରେ ୩୫ବର୍ଷରୁ କମ ବୟସର ଓ ସେହି ଗ୍ରାମର ସର୍ବୋଚ୍ଚ ଶିକ୍ଷିତ ଯୁବକ/ଯୁବତୀ ୨ଜଣଙ୍କୁ ନିଯୁକ୍ତି ଦେବାପାଇଁ ଯାହାର ଫଳ ସ୍ୱରୂପ ବ୍ଲକ ମାଧ୍ୟମରେ ଦରଖାସ୍ତ କରି ଶତକଡା ୩୦ ପ୍ରତିଶତ ରୁ ଅଧିକ ମାଷ୍ଟର ଡିଗ୍ରୀ ଓ ୯୦ପ୍ରତିଶତରୁ ଅଧିକ ଗ୍ରାଜୁଏଟ ଏହି ଗାଁ ସାଥିରେ ଓଡିଶା ସରକାରଙ୍କ ଦ୍ୱାରା ଚୟନ ହେଲେ । ସେମାନଙ୍କ କାର୍ଯ୍ୟ ହେଲା ସରକାରଙ୍କ ଏମ.ଜି.ଏନ.ଆର.ଇ.ଜି.ଏ.କୁ ପରିଚାଳନା କରିବା ଓ ମାସିକ ସର୍ବନିମ୍ନ ୧୦ଦିନର ପାରିଶ୍ରମିକ ପାଇବା  ନିୟମିତ ମାସିକ ବେତନ ନାହିଁ । ଏହି ପରିସ୍ଥିତିରେ ବର୍ତ୍ତମାନ ଚାକିରୀ କରିବାର ବୟସ ଅତିକ୍ରାନ୍ତ, ଏଣେ ପରିବାର ପ୍ରତିପୋଷଣ ପାଇଁ ପାରିବାରିକ ଜରୁରୀ ଆବଶ୍ୟକତା ଥିବାବେଳେ କୋଭିଡ-୧୯ ସାରା ବିଶ୍ୱକୁ କବଳିତ କଲା । ଆମ ଦେଶ,ରାଜ୍ୟ ଓ ଜିଲ୍ଲାରୁ କୋଭିଡ ହଟିବ ଆମେ ଜିତିବୁ ବୋଲି ଆମେ ଶପଥ ନେଲୁ । ଆମ ରାଜ୍ୟକୁ ପ୍ରବାସୀ ଶ୍ରମିକ ଆସିଲେ,ଠିକା କର୍ମଚାରୀ ମଧ୍ୟ ଆସିଲେ । ଗତ ମାର୍ଚ୍ଚମାସ ଠାରୁ ଆଜି ପର୍ଯ୍ୟନ୍ତ ରୋଜଗାର ନାହିଁ । ସରକାର ଏମାନଙ୍କୁ ନିଯୁକ୍ତି ପାଇଁ କେଉଁଠି କେଉଁଠି ଏମ.ଜି.ଏନ.ଆର.ଇ.ଜି.ଏ.କାମ ଆରମ୍ଭ କଲେ । ସବୁ କାମରେ ଗାଁ ସାଥିଙ୍କୁ ସାମିଲ କରାଗଲା ନାହିଁ । ବ୍ଲକ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତୁରନ୍ତ ଏମ.ଜି.ଏନ.ଆର.ଇ.ଜି.ଏ.କାମରେ ସାମିଲ କରି ବଂଚିବା ପାଇଁ ଦାବୀ ହେଲା । ମାତ୍ର ନିଯୁକ୍ତି ଦିଆଗଲା ନାହିଁ । ସରକାର ଏବେ ୨ଜଣ ଗାଁ ସାଥିଙ୍କୁ ବଂଚିବା ପାଇଁ ସୁଯୋଗ ନଦେଇ ଆଉ ୨ଜଣ ମହିଳାଙ୍କୁ ପ୍ରତି ରାଜସ୍ୱ ଗ୍ରାମରେ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ବାହାର କରିଛନ୍ତି । ଯାହା ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ପିଆର – ଏନଆରଇଜି – ଇଏସଟିଟି -୦୦୦୩ -୨୦୧୯- ୧୩୦୬୫ ଭାବେ ଜାରି ହୋଇଛି । ତୁରନ୍ତ ଏହି ବିଜ୍ଞାପନକୁ ପ୍ରତ୍ୟାହାର କରାଯାଉ,ଗାଁ ସାଥିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଖାଲିଥିବା ସରକାରୀ ପଦବୀରେ ନିଯୁକ୍ତି ଦିଆଯାଉ,ପ୍ରତ୍ୟେକ ରାଜସ୍ୱ ଗ୍ରାମରେ କରୋନା ପାଇଁ ପ୍ରବାସୀ ଶ୍ରମିକ ଓ ବେକାର ଯୁବକ/ଯୁବତୀମାନଙ୍କୁ ରୋଜଗାର ପାଇଁ ୨ଶହ ଦିନର ଏମ.ଜି.ଏନ.ଆର.ଇ.ଜି.ଏ. କାମ ଯୋଗାଇ ଦିଆଯାଉ,ମୋ ବଗିଚା ଭଳି କୃଷି କ୍ଷେତ୍ରରେ ଏମ.ଜି.ଏନ.ଆର.ଇ.ଜି.ଏ.କୁ ସାମିଲ କରାଯାଇ ଗାଁ ସାଥିଙ୍କୁ ମାସିକ ସର୍ବନିମ୍ନ ୭ହଜାର ୫ଶହ ଟଙ୍କା ଦିଆଯାଉ ବୋଲି ସଙ୍ଘ ପକ୍ଷରୁ ଦାବୀ କରାଯାଇଛି । ସରକାରଙ୍କ ବିଜ୍ଞାପନକୁ ବାତିଲ କରାନଗଲେ ଆସନ୍ତା ୧୮ତାରିଖ ପୂର୍ବାହ୍ନ ୧୦ଟାରେ ସରକାରଙ୍କ କୋଭିଡ ନିୟମକୁ ମାନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ସଙ୍ଘ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ସଙ୍ଘର ଉପଦେଷ୍ଟା ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରମିଳା ସାମଲ, ଜିଲ୍ଲା ସଭାପତି କ୍ଷୀରୋଦ କୁମାର ଖଟୁଆ, ଜିଲ୍ଲା ସମ୍ପାଦକ ନିତ୍ୟସୁନ୍ଦର ଜେନା, ଜିଲ୍ଲା ଉପସଭାପତି ଉପେନ୍ଦ୍ର ସାହୁ, ଜିଲ୍ଲା ସହସମ୍ପାଦକ ମୁକୁନ୍ଦ ମହାପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ରବିନ୍ଦ୍ର ରାଉତ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ