ନିଖୋଜ ଯୁବକଙ୍କ ମୃତଦେହ ନଦୀପଠାରୁ ଉଦ୍ଧାର
ଦିଗପହଣ୍ଡି, (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମ ଦାସ ସାହିର ବଚ୍ଚନ ଦାସ (୩୨) ନାମକ ଯୁବକ ଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଘୋଡ଼ା ହାଡ଼ ନଦୀ ରୁ ମିଳିଥିଲା। ପାଟପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବଚ୍ଚନ ଙ୍କ ଆକସ୍ମିକ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତଦେହ ପହଞ୍ଚିବା ପରେ ପରିବାର ଲୋକେ ଗାଁ ଶ୍ମଶାନ ରେ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି। ଗୁରୁବାର ସନ୍ଧ୍ୟାରୁ ବଚ୍ଚନ ଆକସ୍ମିକ ଭାବେ ନିଖୋଜ ଥିଲେ। ପରିବାର ଲୋକେ କିଛି ଗ୍ରାମବାସୀ ଙ୍କ ସହାୟତାରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ଗ୍ରାମ ନିକଟରେ ପ୍ରବାହିତ ଘୋଡାହାଡ଼ ନଦୀ ପଠାରେ ତାଙ୍କ ପ୍ୟାଣ୍ଟ୍ ଓ ସାର୍ଟ ପଡିଥିବା ନେଇ ରାତି ପ୍ରାୟ ୯ ଟାରେ ଜଣାପଡିବା ପରେ ସେ ନଦୀରେ ବୁଡି ଯାଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ସନ୍ଦେହ କରିଥିଲେ। ଏନେଇ ଗ୍ରାମବାସୀ ଦିଗପହଣ୍ଡି ଅଗ୍ନିଶମ କେନ୍ଦ୍ର କୁ ଫୋନ କରିବାପରେ ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ ଆଗ୍ନିକ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ନଦୀ ପାଣିରେ ପଶି ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ପତ୍ତା ପାଇନଥିଲେ । ପରେ ସକାଳ ୬ ଟା ରୁ ପୁଣିଥରେ ଆଗ୍ନିକ କର୍ମଚାରୀ ମାନେ କିଛି ଗ୍ରାମବାସୀ ଙ୍କ ସହାୟତାରେ ଅପରେସନ ବଚ୍ଚନ ଆରମ୍ଭ କରିଥିଲେ। ନଦୀ ଭିତରେ ଥିବା ଗଭୀର ଗଣ୍ଡ ମାନଙ୍କରେ ପଶି ଖୋଜିବାପରେ ପ୍ରାୟ ୧୦ ଟାରେ ଏରେଣ୍ଡ୍ରା – ଖଲିଙ୍ଗି ଗାଁ ମଧ୍ୟଭାଗ ରେ ଥିବା ଘୋଡାହଡ ନଦୀ ପଠାର ବୁଦାଳିଆ ଘାସ ଗହଳ ଭିତରୁ ମୃତଦେହ କୁ ଉଦ୍ଧାର କରି ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ବଚ୍ଚନଙ୍କୁ ମୃତ ଘୋଷଣା କରିଥିଲେ ।


