ନିଦ୍ରାରେ ଅବକାରୀ ବିଭାଗ , ପୋଲିସ ପ୍ରଶାସନର ଦାୟିତ୍ୱ ବୃଦ୍ଧି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସହରର ମଦ ବେପାରୀଙ୍କୁ ମିଳିଛି ସୁବର୍ଣ୍ଣ ସୁଯୋଗ । ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହର ନିଶା କାରବାରର ପେଣ୍ଠସ୍ଥଳି ପାଲଟିଛି । ସ୍ଥାନୀୟ ପୌରାଂଚଳ ସମେତ ଗ୍ରାମାଂଚଳ ଗୁଡ଼ିକର ପାନ ଦୋକାନ ଠାରୁ ଆରମ୍ଭ କରି ଫାଷ୍ଟଫୁଡ଼, ହୋଟେଲ, ରେଷ୍ଟୁରାଂଟ ସମେତ ବିଭିନ୍ନ ଦୋକାନ ଗୁଡ଼ିକରେ ଖୁଲୁମଖୁଲା ବିକ୍ରି କରାଯାଉଛି ଦେଶୀ ଓ ବିଦେଶୀ ମଦ । ଯାହା ଉପରେ ନଜର ପଡୁନି ଅବକାରୀ ବିଭାଗର । ଅନ୍ୟପଟେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଅବକାରୀ ବିଭାଗୀୟ କାର୍ଯ୍ୟ କରିବାକୁ ପଡ଼ୁଛି । ତେବେ, ଚୋରା ମଦ ବେପାର ଖବର ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଧର୍ମକୁ ଆଖିଠାର ନ୍ୟାୟରେ ମଦ ବେପାରୀଙ୍କ ସହ ସ୍ଥାନୀୟ ଅବକାରୀ ବିଭାଗୀୟ କର୍ମଚାରୀଙ୍କ ସଲାସୁତୁରାରେ ନିର୍ଦ୍ଧିଷ୍ଟ ପରିମାଣର ମଦପୋଚ ନଷ୍ଟ ସହ ମଦ ଜବତ କରାଯାଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନା ଅଂଚଳର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ପ୍ରାୟ ୬ ଶହ ଲିଟରରୁ ଉଦ୍ଧ୍ୱର୍ ଦେଶୀ ଓ ପ୍ରାୟ ୧ ଶହ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ କେତେ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି, ଏ ନେଇ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ । ଗତ ୧୧ ମାସ ମଧ୍ୟରେ କେବଳ ପୋଲିସ ପ୍ରଶାସନ ପକ୍ଷରୁ ଏତେ ବହୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କୀରାଯାଇଥିବା ବେଳେ, ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଯେ ହିଞ୍ଜିଳିକାଟୁ ସହର ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ।
ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ୨୦୧୭ ମସିହାରେ ଜାତୀୟ ରାଜପଥ ପାଶ୍ୱର୍ରୁ ମଦ ଦୋକାନ ଉଛେଦ କରାଯାଇଥିଲା । ପରବର୍ତୀ ସମୟରେ ନିୟମ କୋହଳ କରାଯିବା ପରେ ଯଥା ପୂବଂ – ତଥା ପରଂ ନୀତିରେ ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡ଼ିକ ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡ଼ିକ ଜାତୀୟ ରାଜପଥ ପାଶ୍ୱର୍ରେ ଖୋଲାଯାଇଥିଲା । ଏହି ପରିପ୍ରେକ୍ଷିରେ ହିଞ୍ଜିଳିକାଟୁ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ହିଞ୍ଜିଳି ଥାନା ଅଂଚଳରେ ୮ ଟି ଦେଶୀ ଓ ବିଦେଶୀ ମଦ ଦୋକାନର କାଉଂଟର ରହିଛି । ସେଥି ମଧ୍ୟରୁ ହିଞ୍ଜିଳିକାଟୁ ପୌରାଂଚଳରେ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ସ୍ଥ ୨ ଟି ଠିପି ବନ୍ଦ ଓ ଗୋଟିଏ ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଦେଶୀ ମଦ ଦୋକାନ ରହିଛି । ସନ୍ଧ୍ୟା ହେଲେ ସ୍ଥାନୀୟ ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ମଦୁଆ ମାନଙ୍କର ଆସର ଜମିଥାଏ । ହିଞ୍ଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ଛକରେ ଗୋଟିଏ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି । ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳ ଭାବେ ପରିଚିତ ବିଜୁ ପଟ୍ଟନାୟକ ଛକର ଦୁଇ ପାଶ୍ୱରେ ବିଦେଶୀ ମଦ ଦୋକାନ ରହିଛି । ସନ୍ଧ୍ୟା ୬ ଟାରୁ ରାତ୍ର ପ୍ରାୟ ସାଢେ ୧୦ ଟା ପର୍ଯ୍ୟନ୍ତ ମଦୁଆ ମାନଙ୍କର ଜାତୀୟ ରାଜପଥ ଉପରେ ଆସର ଜମିଥାଏ । ଲକ୍ଷ୍ମୀ ବଜାର ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ନିକଟରେ ମଦୁଆ ମାନଙ୍କ ସକାଶେ ମଦ ପିଇବା ପାଇଁ କୌଣସି ସୁରକ୍ଷିତ ସ୍ଥାନ ନଥିବା ଯୋଗୁଁ ୫୯ ନଂ ଜାତୀୟ ରାଜପଥ ହିଁ ମଦ ପିଇବା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମଦ୍ୟପ ମାନେ ଭାବିଥାନ୍ତି । ସନ୍ଧ୍ୟା ସମୟରେ ଶିକ୍ଷାର୍ଥୀ ମାନେ ଟିୟୁସନ ସାରି ଘରକୁ ଫେରୁଥିବା ସମୟରେ ମଦୁଆ ମାନଙ୍କର ବିଭିନ୍ନ ପ୍ରକାର ଅଶ୍ଳୀଳ କମେଂଟର ଶିକାର ହୋଇଥାନ୍ତି । ସନ୍ଧ୍ୟା ସମୟ ପର ଠାରୁ ଉକ୍ତ ରାସ୍ତା ଦେଇ ଝିଅ ବୋହୁ ମାନେ ଯିବାକୁ ଉଚିତ ମଣୁନାହାଁନ୍ତି । ବହୁ ସମୟରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ବାହାନାରେ ମଦୁଆ ମାନଙ୍କୁ ସାବାଡ଼ କରାଯାଉଥିବାର ନଜିର ରହିଛି । ଏପରିକି ବହୁ ସମୟରେ ମଦୁଆ ମାନେ ନିୟନ୍ତ୍ରଣ ହରାଇ ବହୁ ସମୟରେ ବିଚ୍ ରାସ୍ତାରେ ଗଣ୍ଡେ଼ାଗୋଳ ଘଟି ଅକାରଣରେ ମାରପିଟ ଭଳି ଆକ୍ରମଣ ଘଟିଥିବାର ନଜିର ରହିଛି । ମଦୁଆ ମାନେ ଜାତୀୟ ରାଜପଥ ବିଚ୍ ରାସ୍ତା ଉପରେ ନିଜ ନିଜର ମୋଟର ସାଇକେଲକୁ ରଖି ମଦର ଆସର ଜମାଉଥିବା ବେଳେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଯଦ୍ୱରା ଟ୍ରାଫିକ ନିୟନ୍ତ୍ରଣ କରିବା ଲାଗି ପୋଲିସ ପ୍ରଶାସନକୁ ନାକେଦମ ହେବାକୁ ପଡ଼ୁଛି । ହିଞ୍ଜିଳିକାଟୁ ସହର ନିଶା କାବାରର ପେଣ୍ଠସ୍ଥଳି ପାଲଟିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳୁଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ନଚେତ, ଆଗାମୀ ଦିନରେ ଜନସାଧାରଣଙ୍କ ଅସନ୍ତୋଷ ଉଗ୍ରରୂପ ଧାରଣ କରିବ, ଏଥିରେ ନିସନ୍ଦେହ । ପ୍ରକାଶ ଥାଉକି, ଗତ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ହାତ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ସହରରେ ଅବକାରୀ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କରାଯାଇଥିଲା । ନବ ନିର୍ମିତ କୋଠା ନିର୍ମାଣର ଦୀର୍ଘ ୮ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଏଯାବତ୍ ବିଭାଗୀୟ କାର୍ଯ୍ୟାଳୟଟି ବ୍ୟବହାର ଉପଯୋଗୀ ହୋଇ ପାରିନାହିଁ । ଦୀର୍ଘ ବର୍ଷ ଧରି ସ୍ଥାନୀୟ ସହରରେ ଅବକାରୀ କାର୍ଯ୍ୟାଳୟ ଭଡ଼ା ସୁତ୍ରରେ ଚାଲୁରହିଛି । ଅବକାରୀ ବିଭାଗର କାର୍ଯ୍ୟାଳୟ ନିମନ୍ତେ ନବ ନିର୍ମିତ ନିଜସ୍ୱ କୋଠା ରହିଥିବା ବେଳେ ଭଡ଼ା ସୁତ୍ରରେ ଚାଲିଛି ଉକ୍ତ କାର୍ଯ୍ୟାଳୟର ନବ ନିର୍ମିତ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳୁଛି । ଘଟଣା ନେଇ ଅବକାରୀ ବିଭାଗୀୟ ଭାରପ୍ରାପ୍ତ ଅଧିକାରୀ ତପସ୍ୱିନି ବରଡ଼ଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ପର ହୋଇ ପାରିନାହିଁ । ଅନ୍ୟ ପକ୍ଷରେ ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଦେଖା ମିଳିବା କଷ୍ଟକର ବ୍ୟାପାର । ଗୋଟିଏ ପଟେ ସହରର ଶେଷ ପ୍ରାନ୍ତ ବଇଁଚବଣିଆ ଠାରେ ଅବକାରୀ ବିଭାଗର କାର୍ଯ୍ୟାଳୟ ଭଡ଼ା ସୁତ୍ରରେ ଚାଲିଥିବା ବେଳେ ଅନ୍ୟ ପକ୍ଷରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଯଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ଘଟୁଛି ।


