ନିରଞ୍ଜନଙ୍କୁ ଆହ୍ୱାନ ଦେଇ ଦମ୍ ଦେଖାଇଲେ ବଦ୍ରି ଘଷିପୁରାରେ ହ୍ୟାଟ୍ରିକ୍ ବିଜୟ
ଘଟଗାଁ(ଜୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲାର ସମ୍ମାନଷ୍ପଦ ବହୁଚର୍ଚ୍ଚିତ ସମ୍ବେଦନଶୀଳ ବିଧାନସଭା ଆଶନ ଘଷିପୁରାରେ ପୁଣିଥରେ ବିଜେଡିଦଳର ବରିଷ୍ଠ ସଙ୍ଗଠକ ବଦ୍ରିନାରାୟଣ ପାତ୍ର ଚଳିତ ବର୍ଷ ୨୦୧୯ ସାଧାରଣ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଛରେ ପକାଇ ବିଜୟ ହାସଲ କରି ପୁଣିଥରେ ତୃତୀୟ ଥର ପାଇଁ ବିଧାୟକ ମୁକୁଟ ପିନ୍ଧିଛନ୍ତି । ଏନେଇ ସମଗ୍ର କେନ୍ଦୁଝର ଜିଲ୍ଲା ତଥା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଭୋଟର ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିବା ବେଳେ ଘଟଗାଁ ଅଞ୍ଚଳର ପ୍ରତ୍ୟେକ ବଜାର ଘାଟ, ଗାଁ ଗହଳିରେ ବାଣ ଫୁଟାଇ ବାଜା ବଜାଇ ପରିକ୍ରମା ସମେତ ସ୍ୱାଗତ କରିଛନ୍ତି । ଚଳିତ ବର୍ଷ ବିଜେଡି ଦଳ ପକ୍ଷରୁ ନିର୍ବାଚନ ଲଢି ବଦ୍ରିନାରାୟଣ ପାତ୍ର ମୋଟ ୮୬ହଜାର ୨ଶହ ୧ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଧି ନେତା ତଥା ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ୫୩ହଜାର ୭ଶହ ୨୪ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବିଜେପି ଦଳ ପକ୍ଷରୁ ଟିକେଟ ପାଇ ପୃଥ୍ୱୀରାଜ କୁଅଁର ୨୭ହଜାର ୩ଶହ ୪୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଫଳରେ ନିରଞ୍ଜନଙ୍କ ଠାରୁ ଶ୍ରୀଯୁକ୍ତ ପାତ୍ର ୩୨ହଜାର ୪ଶହ ୭୭ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ହାସଲ କରିଛନ୍ତି । ବିଗତ ଦୁଇ ଦୁଇଥର ଲଗାତାର ବିଧାୟକ ହୋଇଥିଲେ ଏବଂ ପୁଣି ଥରେ ଚଳିତ ବର୍ଷ ବିଜୁ ଜନତା ଦଳ ପକ୍ଷରୁ ତୃତୀୟ ଥର ପାଇଁ ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇ ପାଖାପାଖି ୩୨ହଜାରରୁ ଊଦ୍ଧ୍ୱର୍ ଭୋଟ ଆଗରେ ରହି ହ୍ୟାଟ୍ରିକ ମାରିଛନ୍ତି ଶ୍ରୀ ପାତ୍ର । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ସାରା ଓଡ଼ିିଶାବାସୀଙ୍କର ନଜର ଥିଲା କେନ୍ଦୁଝର ଜିଲ୍ଲାର ଘଷିପୁରା ବିଧାନସଭା ମଣ୍ଡଳୀ ଉପରେ, କାହିଁକି ନା ନିର୍ବାଚନ ପୂର୍ବରୁ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ଘଷିପୁରାରୁ ନିର୍ବାଚନ ଲଢେବିକି ନାହିଁ ତାହା ଘୋଷଣା ନକରି ଚୁପ୍ଚାପ୍ ଆସି ନିର୍ବାଚନ ଲଢିବା ପାଇଁ ବୋଧେ ପିସିସି ମୁଖିଆଙ୍କ ମାଷ୍ଟର ପ୍ଲାନ ଥିଲା । ଅନ୍ୟପକ୍ଷରେ ବଦ୍ରିନାରାୟଣ ପାତ୍ର କୌଣସି ମତେ ଏକଥା ଜାଣିପାରି ନିଜର ଦମ ଦେଖାଇ ସିଧାସଳଖ ଭାବେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କୁ ଘଷିପୁରାରୁ ନିର୍ବାଚନ ଲଢିବା ପାଇଁ ଆହ୍ୱାନ ଦେଇଥିଲେ । ଫଳରେ ପିସିସି ମୁଖିଆ ରାଜ୍ୟର ସମସ୍ତ ବିଧାନସଭା ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରିଦେଲେ କିନ୍ତୁ ଘଷିପୁରା ବିଧାନସଭା ପାଇଁ ସ୍ଥଗିତ ରଖି ପ୍ରାର୍ଥୀପତ୍ର ଦାଖଲ କରିବା ଦିନ କାହାକୁ କୌଣସି ସୁରାଗ ନଦେଇ ସିଧାସଳଖ ଯାଇ ଘଷିପୁରା ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପିସିସି ମୁଖିଆ ରାଜ୍ୟର କୌଣସି ନିର୍ବାଚନ ମଣ୍ଡଳୀ ଉପରେ ଗୁରୁତ୍ୱ ନଦେଇ ନିର୍ବାଚନ ଦୁଇ ଦିନ ପୁର୍ବରୁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଶେଷରେ ଶ୍ରୀଯୁକ୍ତ ପାତ୍ର ପିସିସି ମୁଖିଆଙ୍କ ଠାରୁ ୩୨ ହଜାରରୁ ଊଦ୍ଧ୍ୱର୍ ଭୋଟ୍ରେ ଆଗୁଆ ରହି ନିଜର ଦମ ଦେଖାଇବା ସହିତ ପୂର୍ବରୁ ଶ୍ରୀଯୁକ୍ତ ପାତ୍ର ପିସିସି ମୁଖିଆଙ୍କୁ ସାଇବେରିଆ ପକ୍ଷୀ ବୋଲି କହୁଥିଲେ ଏବଂ ୨୦୧୯ ସାଧାରଣ ନିର୍ବାଚନ ଜିତି ତାଙ୍କୁ ବଙ୍ଗୋପସାଗରକୁ ଫୋପାଡି ଦେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରକୃତରେ ବିଜେଡି ସମର୍ଥକ ମାନଙ୍କର ଅନୁମାନ ବାସ୍ତବରେ ପରିଣତ ହେଲା ଏବଂ ଶ୍ରୀ ପାତ୍ର ୩୨ହଜାର ରୁ ଊଦ୍ଧ୍ୱର୍ ଭୋଟ୍ ପାଇ ଘଷିପୁରା ବିଧାନସଭା ମଣ୍ଡଳୀର ସୁନା ମୁକୁଟ ତୃତୀୟ ଥର ପାଇଁ ହାତେଇ ନେବା ଖୁସିରେ ଆନନ୍ଦର ଲହରି ଦେଖିବାକୁ ମିଳିଥିଲା ।