ନିର୍ବାଚନ ପରେ ଅଲୋଡ଼ା ଦଳଡିଆଁ ନେତା
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ସାଧାରଣ ନିର୍ବାଚନ ପରେ ଦଳ ଡିଆଁ ନେତା ଅଲୋଡା ହୋଇ ପଡିଛନ୍ତି। ନିଜ ଦଳରେ ସେମାନଙ୍କୁ ମିଳୁଥିବା ଭଲପାଈବା ଏବଂ ଗୁରୁତ୍ୱ ନୂତନ ଦଳରେ ମିଳୁନି। ନିର୍ବାଚନ ବେଳେ ନୂତନ ଦଳରେ ସେମାନଙ୍କୁ ମିଳିଥିବା ଗୁରୁତ୍ୱ ନିର୍ବାଚନ ପରେ ଆଉ ଦେଖିବାକୁ ମିଳୁନି। ଫଳରେ ନିର୍ବାଚନ ପରେ ନୂତନ ଦଳରେ ଏହି ନେତା ମାନେ ଅଲୋଡ଼ା ହୋଇ ପଡିଥିବା ବେଳେ ସେମାନଙ୍କ ରାଜନୈତିକ ଭବିଷ୍ୟତ ସଙ୍କଟ ଘେରକୁ ଚାଲି ଆସିଛି। ଏହି ପ୍ରସଙ୍ଗ ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଈଛନ୍ତି ବିଜେଡି ଛାଡି ବିଜେପି କୁ ଯାଈଥିବା ନେତା। ରାଜନୈତିକ ସମ୍ମାନ ଦୃଷ୍ଟିରୁ ଯଦିବା ଏହି ନେତା ଙ୍କ ନାମ ପ୍ରକାଶ କରାଯାଈପାରୁନାହିଁ, ତଥାପି କ୍ଷମତା ଦଖଲ ସତ୍ତ୍ୱେ ବିଜେପି ରେ ଏହି ନେତା ମାନେ ସେମାନଙ୍କୁ ସହଜ ମନେ କରୁପାରୁନାହାନ୍ତି। ନିର୍ବାଚନ ପୂର୍ବରୁ ଜିଲ୍ଲାର ଡଜନେ ପାଖାପାଖି ବିଜେଡି ର ଦ୍ୱିତୀୟ ଧାଡିର ନେତା ଦଳ ଛାଡି ବିଜେପି ରେ ମିଶିଥିଲେ। ଏହି ମିଶ୍ରଣ କୁ ଅଧିକ ପ୍ରଚାରଭିମୁଖୀ କରିବାକୁ କିଏ ରାଜଧାନୀ ପାର୍ଟି କାର୍ଯ୍ୟାଳୟ ରେ ମିଶିଥିଲେ ତ କିଏ ଜିଲ୍ଲା କାର୍ଯ୍ୟାଳୟ ଅବା ସଭାମଞ୍ଚ ରେ ଅବା ନିର୍ବାଚନ ପ୍ରଚାର ମଞ୍ଚ ରେ ଯୋଗ ଦେଈଥିଲେ। ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ନୂତନ ଦଳରେ ଏହି ଦଳ ଡିଆଁ ନେତାଙ୍କ ଖୁବ ଗୁରୁତ୍ୱ ବଢିଯାଈଥିଲା। ନିର୍ବାଚନ ସଭାରେ ପ୍ରତିପକ୍ଷ ଦଳକୁ ଯିଏ ଯେତେ ଈଙ୍ଗିତ କରିପାରୁଥିଲା,ଦଳରେ ସେହି ଦଳଡିଆଁ ନେତାଙ୍କ ଗୁରୁତ୍ୱ ସେତେ ବଢୁଥିଲା। ନିର୍ବାଚନ ରେ ଦଳ ବିଜୟୀ ହେବା ପର୍ଯ୍ୟନ୍ତ ଦଳରେ ଏହି ନେତାଙ୍କ ଦମ ଦେଖିବାକୁ ମିଳିଥିଲା। ହେଲେ କ୍ଷମତା ହାସଲ ପରେ ଦଳରେ ଏହି ନେତାମାନେ ଅଲୋଡ଼ା ହୋଇ ପଡିଛନ୍ତି। କୁହାଯାଉଛି, କ୍ଷମତା ହାସଲ ପରେ ନୂତନ ଦଳରେ ଥଈଥାନ ପ୍ରସଙ୍ଗ ନେଇ ସେମାନଙ୍କୁ ଅନୁରୂପ ଗୁରୁତ୍ୱ ମିଳୁନଥିବାରୁ ଅଧିକାଂଶ ଦଳଡିଆଁ ନେତା ମନମାରି ବସିଛନ୍ତି। ଏଣେ ଦଳ ବିଜୟୀ ହେବା ପରେ ଦଳର ବିଜୟୀ ନେତାମାନେ ସେମାନଙ୍କ ନୂତନ ଟିମ ଗଠନ କରିନେଈଥିବା ବେଳେ ଏହି ଟିମରେ ଦଳଡିଆଁ ନେତାଙ୍କ ସମ୍ପୃକ୍ତି ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ହତାଶ ହୋଈଛନ୍ତି ଏହି ଦଳଡିଆଁ ନେତା। ନିର୍ବାଚନ ବେଳେ କିଛି ନେତା ଦଳୀୟ ଟିକେଟ ଲାଗି ଦଳ ପରିବର୍ତ୍ତନ କରିଥିବା ବେଳେ ଆଉ କିଛି ନୂତନ ଦଳରେ ସେମାନଙ୍କ ପତିଆରା ଜାହିର କରିବା ଲକ୍ଷ୍ୟରେ ଦଳବଦଳ କରିଥିଲେ। ହେଲେ ଉଭୟ କ୍ଷେତ୍ରରେ ବିଫଳ ହେବା ପରେ କ୍ଷମତାସୀନ ଦଳରେ ମନମାରି ବସିଛନ୍ତି। ସବୁଠାରୁ ବଡ କଥା ହେଲା ଦଳର ନିର୍ବାଚନ ସ୍ବାର୍ଥ ଦୃଷ୍ଟିରୁ ଦଳରେ ଏହି ନେତାଙ୍କୁ ସାମିଲ କରାଯାଈଥିଲେ ମଧ୍ୟ ସଙ୍ଗଠନ ଏଥିରେ ଶତ ପ୍ରତିଶତ ସହମତ ନଥିଲା। ଫଳରେ ଦଳଡିଆଁ ନେତାଙ୍କ ଗୁରୁତ୍ୱ ହ୍ରାସ ପାଇଛି। ତଥାପି ଆଗକୁ ଏହି ଦଳଡିଆଁ ନେତାଙ୍କୁ ଦଳୀୟ ସ୍ବାର୍ଥ ରେ ବିନିଯୋଗ କରୁଛି ଅଥବା କିଛି ପୁରୁଣା ନେତାଙ୍କ ଭଳି ଅଣଦେଖା କରୁଛି, ଦେଖିବାକୁ ବାକି ରହିଲା।