ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିବା ସତ୍ୱେ; ସର୍ବସାଧାରଣ ସ୍ଥାନରୁ ହଟୁନି ଦଳୀୟ ଚିହ୍ନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଉକ୍ତ ଆଚରଣ ବିଧି ଅନୁସାରେ ସମସ୍ତ ସରକାରୀ ସ୍ଥାନରୁ ସରକାରୀ ବିଜ୍ଞାପନରେ ଥିବା ରାଜନେତା ଫଟୋ ଓ ରାଜନୈତିକ ହୋର୍ଡିଂକୁ ହଟାଇବା ପାଇଁ ନିର୍ବାଚନ କମିଶନରଙ୍କ ନିକଟରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଟିମ୍ ଗଠନ କରାଯାଇ ହୋର୍ଡିଂ ଗୁଡିକ ଉପରେ ପଲିଥିନରେ ଆବରଣ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ କାନ୍ଥରେ ଲେଖା ଥିବା ଦଳୀୟ ଚିହ୍ନ ଓ ବିଜ୍ଞାପନ ଗୁଡିକ ଉପରେ ଚୁନ ଲେପ ଦିଆଯାଉଛି । କିନ୍ତୁ ଦୀର୍ଘ ୧ ମାସ ହେବ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଏବେ ବି ଉକ୍ତ ବ୍ଳକର ବିଭିନ୍ନ ସ୍ଥାନରେ ଦଳୀୟ ଚିହ୍ନ ଶୋଭା ପାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ନାଉଗାଁ ବସଷ୍ଟାଣ୍ଡର ବିଶ୍ରାମ ଗୃହ କାନ୍ଥରେ । ବସଷ୍ଟାଣ୍ଡଟି ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ରହିଥିବା ବେଳେ ରାସ୍ତା ପାଶ୍ୱର୍ରେ ଅବସ୍ଥିତ । କିନ୍ତୁ ସେଠାରେ ଥିବା ଚିହ୍ନକୁ ଲେପ ଦିଆଯାଉନାହିଁ । କେବଳ ବସଷ୍ଟାଣ୍ଡ ନୁହେଁ ଗାଁ ଗହଳି ଓ ହାଟ ବଜାର ଆଦିରେ ବହୁତ କାନ୍ଥରେ ଦଳୀୟ ଚିହ୍ନ ଶୋଭା ପାଉଛି । ପ୍ରକାଶ ଯୋଗ୍ୟ ଯେ ବିଜ୍ଞାପନ ଓ ହୋର୍ଡିଂକୁ ଆବରଣ କରିବା ପାଇଁ ବ୍ଳକସ୍ତରରେ ଗଠନ କରାଯାଇଥିବା ଟିମ ଗୁଡିକର ନୋଡାଲ ଅଧିକାରୀ ଭାବେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲି ନିଯୁକ୍ତ ହୋଇଛନ୍ତି । ବ୍ଳକର ବିଭିନ୍ନ ଅଧିକାରୀମାନେ ଏହି ଟିମରେ ରହି ୧୬ଟି ପଂଚାୟତରେ ଲାଗିଥିବା ସରକାରୀ ହୋର୍ଡିଂ ହଟାଇବା ସହିତ ବିଜ୍ଞାପନରେ ଚୂନ ଲେପ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଉକ୍ତ ବ୍ଳକରେ ଏହି ନିର୍ଦ୍ଦେଶକୁ ଖୁଲମଖୁଲା ଉଳଘଂନ କରାଯାଉଛି । ପ୍ରଶାସନ ପକ୍ଷରୁ ହୋର୍ଡିଂ ହଟାଇବା ଓ ଚୂନ ଲେପ କାର୍ଯ୍ୟ ଦୀର୍ଘ ଏକ ମାସ ହେବ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଅନେକ ସର୍ବସାଧାରଣ ସ୍ଥାନ ତଥା ମୁଖ୍ୟ ରାସ୍ତା ପାଶ୍ୱର୍ରେ ଦଳୀୟ ଚିହ୍ନ ଶୋଭା ପାଉଛି । ଯାହାକୁ ନେଇ ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


