ନୀଳମାଧବ ପୀଠରେ ଦେବସ୍ନାନ ଯାତ୍ରା ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
କଣ୍ଟିଲୋ (ଜୁଗାବ୍ଦ ନ୍ୟୁଜ୍): ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଜଗନ୍ନାଥ ସଂସ୍କୃତିର ଆଦିପୀଠ ନୀଳମାଧବ ପୀଠରେ ପାଶ୍ୱର୍ଦେବତା ଭାବେ ଅଧିଷ୍ଠିତ ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା ଓ ବଡ଼ ଠାକୁର ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନଙ୍କ ଦେବସ୍ନାନ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ନାନପର୍ବ ପରେ ଶ୍ରୀଜିଉ ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାଦ୍ଧୀରେ ମହାରାଷ୍ଟ୍ରର ମହାଗାଣ୍ୟପତ୍ୟ ସମ୍ପ୍ରଦାୟର ଜନୈକ ବ୍ରାହ୍ମଣ ଗଣପତି ଭଟ୍ଟ ଶ୍ରୀକ୍ଷେତ୍ରକୁ ଆଗାମନ କରିଥିଲେ । ଶ୍ରୀ ଭଟ୍ଟ ଗଣେଶଙ୍କ ପରମ ଭକ୍ତ ହୋଇଥିବାରୁ ସ୍ନାନବେଦୀରେ ଶ୍ରୀ ଜଗନ୍ନାଥଙ୍କୁ ଗଣେଶ ରୂପରେ ଦେଖିବା ପାଇଁ ଚାହୁଁଥିବାରୁ ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣକରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ତାଙ୍କୁ ଦର୍ଶନ ଦେଇଥିଲେ । ଆଜି ସକାଳୁ ମଙ୍ଗଳ ଆଳତୀ, ମଇଲମ ଲାଗି କରାଯିବା ପରେ ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା କରାଯାଇଥିଲା । ସକାଳ ୬ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ସ୍ନାନବେଦୀରେ ଅଧିଷ୍ଠିତ କରାଯାଇଥିଲା । ପ୍ରଥମେ ଶ୍ରୀ ନୀଳମାଧବଙ୍କୁ ଶହସ୍ର କୁମ୍ଭରେ ସ୍ନାନ କରାଯାଇ ନୂତନ ବସ୍ତ୍ର ଓ ଚନ୍ଦନ ଲାଗି କରାଯାଇଥିଲା । ଏହାପରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମଇଲମ ଓ ତଡପ ଲାଗି କରାଯାଇ ସ୍ନାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାନଦୀରୁ ୧୦୮ ଗଡୁ ଜଳ ଅଣାଯାଇ ଘୋରା ଚନ୍ଦନ, କର୍ପୁର, ଅଗୁରୁ, ଚୁଆ, ଅତର, ସୁବାଷିତ ପୁଷ୍ପମିଶ୍ରିତ ସୁଗନ୍ଧିତ ଜଳକୁ ଷୋଡଶ ଉପଚାରରେ ପୂଜା କରାଯିବା ପରେ ସ୍ନାନକାର୍ଯ୍ୟ କରାଯାଇଥିଲା । ୩ ଠାକୁରଙ୍କୁ ୩ ଜଣ ପୂଜକ ପୂଜା କାର୍ଯ୍ୟ କରିଥିଲେ । ଜଗନ୍ନାଥଙ୍କୁ ବାସୁଦେବ ମିଶ୍ର, ବଳଭଦ୍ରଙ୍କୁ ପ୍ରଶନ୍ନ କୁମାର ମିଶ୍ର ଓ ସୁଭଦ୍ରାଙ୍କୁ ତ୍ରିନାଥ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ର ୩୩ ଗଡୁ, ମା ସୁଭଦ୍ରାଙ୍କୁ ୨୨ ଗଡୁ ଏବଂ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯାଇ ସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା । ଅପରାହ୍ନରେ ପ୍ରଭୁଙ୍କ ହାତୀ ବେଶ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୭ଟାରେ ଶ୍ରୀ ଜିଉଙ୍କ ନିକଟରେ ଅନ୍ନଭୋଗ ଲାଗି କରାଯାଇ ରାତ୍ର ୧୦ଟାରେ ପହଣ୍ଡି କରାଯାଇ ଅଣସର ଘରକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଜେ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଓ ଗଜାନନ ବେଶ ଦର୍ଶନ କୃପା ଲାଭ କରିଥିଲେ । ଏହି ଅବସରରେ ନୀଳମାଧବ ପୂଜକ ସମାଜ ପକ୍ଷରୁ ବାଙ୍କିର ବିଜୟକୃଷ୍ଣ ସାହୁଙ୍କ ଦ୍ୱାରା ଏକ ଭଜନ ସମାରୋହ କରାଯାଇଥିଲା ।


