ନୂତନ ଅବକାରୀ ଅଧିକ୍ଷକଙ୍କ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଚଢ଼ଉ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଭାବେ ପ୍ରଦୀପ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି. ଦାୟିତ୍ୱ ଗ୍ରହଣ ପରେ ତାଙ୍କ ନିର୍ଦ୍ଦେଶକ୍ରମେ ସଦର ଅବକାରୀ ଓ ଭ୍ରାମ୍ୟମାଣ ଅବକାରୀ କର୍ମଚାରୀମାନେ ପୁରୁଣାପାଟଣା ରାସ୍ତା ମହେନ୍ଦ୍ରତନୟା ବ୍ରିଜ ନାକା ଗେଟ ଅଞ୍ଚଳରେ ପେଟ୍ରୋଲିଂ କରୁ ଥିବା ସମୟରେ ତିନି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଥିବାର ଜଣାପଡିଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଉଲ୍ଲେଖିତ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ତିନି ଜଣ ବ୍ୟାଗ ଧରି ଛିଡା ହୋଇଥିଲେ । ସନ୍ଦେହରେ ଏମାନଙ୍କୁ ପଚରା ଉଚରା କରିବା ଏବଂ ଯାଞ୍ଚ କରାଯିବା ବେଳେ ତିନି ଜଣଙ୍କ ଠାରୁ ଗଞ୍ଜେଇ ଉଦ୍ଧାର କରାଯାଇଥିଲା । ପରେ ତିନିଜଣଙ୍କୁ ଗିରଫ କରିବା ସହ ଉଦ୍ଧାର ହୋଇଥିବା ଗଞ୍ଜେଇକୁ ଓଜନ କରିବା ପରେ ଏହା ୩୩କେଜି ଥିବାର ଜଣାପଡିଛି । ଗିରଫ ତିନି ଜଣ ସମସ୍ତେ ବିହାର ରାଜ୍ୟର ଏବଂ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ସଦର ଅବକାରୀ ସବ୍ ଇନ୍ସପେକ୍ଟର ସୁଦର୍ଶନ ବିଶୋୟୀ, ଭ୍ରାମ୍ୟମାଣ ଅବକାରୀ ୟୁନିଟର ଏସ୍ଆଇ ପଦ୍ମଲୋଚନ କର ପ୍ରମୁଖଙ୍କ ସହ ସଦର ଅବକାରୀ ଏବଂ ଭ୍ରାମ୍ୟମାଣ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


