ନୂତନ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଡି,ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗର ଠାରେ ନୂତନ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାର ଲକ୍ଷ୍ୟ ନେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠିତ ଆକାଶ, ଅଗ୍ନି, ପୃଥିବୀ ଓ ତେଜସ୍ ନାମକ ଚାରି ସଦନର ପୂର୍ବତନ ସଦସ୍ୟମାନେ ନୂତନ ସଦସ୍ୟମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଉତ୍ସବରେ ୧୯୯୭ ବ୍ୟାଚ କମିସନ୍ଡ ଅଫିସର ତଥା ଷଷ୍ଠ ଏନ୍.ସି.ସି ବ୍ୟାଟେଲିଅନ ପୁରୀର ପ୍ରଶାସନିକ ଅଧିକାରୀ, କର୍ଣ୍ଣେଲ ପ୍ରସନ୍ନ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ ହିଁ ନେତ୍ୃତ୍ୱ ଗୁଣବତ୍ତାର ବିକାଶ ସାଧନରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହ ଦୃଢ ମନୋବଳ ପୋଷଣ କରି ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ନବ ନିର୍ବାଚିତ କ୍ୟାବିନେଟ୍ ସଦସ୍ୟମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥ ପାଠ କରାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ନୂତନ କ୍ୟାବିନେଟ ସଦସ୍ୟମାନଙ୍କୁ ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ପୁରାତନ ଛାତ୍ର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯର୍୍ୟକ୍ରମ ଶେଷରେ ସଦନର ସଂଯୋଜକ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଗୋଚରାର୍ଥେ ୟୁଟ୍ୱୁବ୍ ମାଧ୍ୟମରେ ସିଧାପ୍ରସାରଣ କରାଯାଇଥିଲା ।


