ନୂତନ ଯାନବାହନ ପଞ୍ଜିକରଣ ପୂର୍ବରୁ ଫାଷ୍ଟଟ୍ୟାଗ ସୁନିଶ୍ଚିତ
ନୂଆଦିଲ୍ଲୀ : ସାରା ଦେଶରେ ନୂଆ ଯାନବାହନ ପଞ୍ଜିକରଣ ବେଳେ ଫାଷ୍ଟଟ୍ୟାଗ କ୍ୟାପଚର ତଥା ଫିଟନେସ ସାର୍ଟିଫିକେଟକୁ ସୁନିଶ୍ଚିତ କରାଯିବା ଜରୁରି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର(ଏନଆଇସି)କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି। ଏନଆଇସି ତଥା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ରକୁ ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଜାତୀୟ ଇଲେକ୍ଟ୍ରୋନିକ୍ସ ଟୋଲ ସଂଗ୍ରହ ( ଏନଇଟିସି)କୁ “ବାହନ” ପୋର୍ଟାଲ ସହିତ ସଂପୂର୍ଣ୍ଣ ରୂପେ ସମନ୍ୱିତ କରାଯିବାରେ ସଫଳତା ହାସଲ କରାଯାଇଛି । ଏହା ଗତ ମେ ମାସ ୧୪ ତାରିଖଠାରୁ ଏପିଆଇ ସହିତ ଲାଇଭ କରାଯାଇସାରିଛି । ବାହନ ବ୍ୟବସ୍ଥା ସମ୍ପ୍ରତି ଭିଆଇଏନ/ ଭିଆରଏନ ମାଧ୍ୟମରେ ଫାଷ୍ଟଟ୍ୟାଗରେ ସକଳ ପ୍ରକାର ତଥ୍ୟ ସୂଚନା ପାଇପାରୁଛି । ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ଏନଆଇସିକୁ ପରାମର୍ଶ ଦିଆଯାଇଛି ଯେ ଫାଷ୍ଟଟ୍ୟାଗ ମାଧ୍ୟମରେ ସେମାନେ ନୂଆ ଯାନବାହନ ପଞ୍ଜିକରଣ କରିବା ସମୟରେ ସବୁପ୍ରକାର ସୂଚନା ସଂଗ୍ରହ କରିବା ଆବଶ୍ୟକ । ସେହିଭଳି ଜାତୀୟ ପରମିଟ୍ ଅଧୀନରେ ଯେଉଁସବୁ ଯାନବାହନ ଦେଶବ୍ୟାପୀ ଚଳାଚଳ କରୁଛି ସେଗୁଡ଼ିକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ ସମୟରେ ମଧ୍ୟ ଏହିସବୁ ତଥ୍ୟାବଳୀ ସୁନିଶ୍ଚିତ କରିବା ଜରୁରି । ଏମ ଏବଂ ଏନ ବର୍ଗରେ ବିକ୍ରି ହେଉଥିବା ଯାନବାହନ ନୂତନ ଭାବେ କ୍ରୟ କଲାବେଳେ ଫାଷ୍ଟଟ୍ୟାଗର ଫିଟମେଣ୍ଟକୁ ୨୦୧୭ ମସିହାଠାରୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ବ୍ୟାଙ୍କ ଜମାଖାତା ସହ ସମନ୍ୱୟ କିମ୍ବା ନାଗରିକମାନଙ୍କ ଦ୍ୱାରା ତାହାକୁ ଏଡ଼ାଇ ଦିଆଯିବାକୁ ଏବେ ସଂପୂର୍ଣ୍ଣ ରୂପେ ବନ୍ଦ କରାଯିବ । ଫାଷ୍ଟଟ୍ୟାଗର ଫିଟମେଣ୍ଟ ସୁନିଶ୍ଚିତ କରିବ ଯେ ଜାତୀୟ ରାଜମାର୍ଗ ଫି ପ୍ଲାଜା ଅତିକ୍ରମ କରିବା ବେଳେ ସେହିସବୁ ଯାନବାହନ ଫାଷ୍ଟଟ୍ୟାଗ electronic medium of FASTag payment ବ୍ୟବସ୍ଥା ବ୍ୟବହାର କରିବେ ଏବଂ ଏଥିପାଇଁ କୌଣସି ପ୍ରକାର ନଗଦ ରାଶି କାରବାରକୁ ସଂପୂର୍ଣ୍ଣ ରୂପେ ଏଡ଼ାଯାଇଛି । ଫାଷ୍ଟଟ୍ୟାଗର ବ୍ୟବହାର ଏବଂ ପ୍ରୋତ୍ସାହନ ଜାତୀୟ ରାଜପଥ ଟୋଲପ୍ଲାଜାରେ କୋଭିଡ଼– ୧୯ ପ୍ରସାରଣକୁ ଯଥେଷ୍ଟ ମାତ୍ରାରେ ରୋକିପାରିବ । ଯୋଜନା ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ମାସରେ ରାଜପତ୍ରରେ ବିଜ୍ଞପ୍ତି ଜାରି କରାଯାଇଥିଲା ।