କରୋନା ଲେଖୁଛି କେତେ କାହାଣୀ ଦୋକାନ ଅଛି, ଗ୍ରାହକ ଆସୁନାହାନ୍ତି ପେଟ ପାଟଣା ଚିନ୍ତାରେ ଫୁଟ ପାଥ ବ୍ୟବସାୟୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ ମାଡରେ ମଣିଷ ଘାଇଲା । କରୋନା ପାଟିରେ ରୋଜଗାର ପଶିଲା । ରୋଜଗାର କମୁଛି, ଚିନ୍ତା ବଢୁଛି । ଗୋଟିଏ ପଟେ କରୋନା ବଢିଚାଲିଥିବା ବେଳେ ବଞ୍ଚିବାର ରାହା ମଧ୍ୟ ମଉଳି ଯାଉଛି । କେମିତି ପେଟ ପୂରିବ ? କେମିତି ପରିବାର ଚଳିବ? ଆଉ ଜଟିଳ ପରିସ୍ଥିତିରେ କେମିତି ଜୀବନ ବଞ୍ଚିଯିବ? ଏସବୁ ଚିନ୍ତାରେ ଘାରି ହେଉଛି ମଣିଷ । କିଏ ରୋଜଗାର ହରାଉଛି ତ କିଏ କାମଧନ୍ଦା ପାଉନି । କରୋନା ମାଡରେ ଦୋହଲିଯାଇଛି ମଣିଷର ଆର୍ଥିକ ଅଣ୍ଟାଟ୍ଟ ଏପରି ଅନେକ ଫୁଟ୍ ପାଥ୍ ବ୍ୟବସାୟୀ ଅଛନ୍ତି । ରାସ୍ତା କଡରେ ବଞ୍ଚିବାର ବାଟ ଖୋଜୁଛନ୍ତି । ରଙ୍ଗବେରଙ୍ଗର ଭଳିକି ଭଳି ପୋଷାକ ସହ ବିଭିନ୍ନ ପ୍ରକାର ପସରା ମେଲାଇ ଗ୍ରାହକଙ୍କ ବାଟ ଚାହିଁ ରହିଥାନ୍ତି । ଅଳ୍ପ ଦାମରେ ଆକର୍ଷଣୀୟ ପୋଷାକ ନେବାକୁ ମଧ୍ୟ ବାଟରେ ଯାଉଥିବା ଲୋକ ଅଟକି ଯାଆନ୍ତି । ଆଉ ବାଛି ବାଛି ନିଅନ୍ତି, ହେଲେ ଏବେ କରୋନା ପାଇଁ କମିଛି ବେପାର । ଭୂତାଣୁ ଭୟ ପାଇଁ ଆଉ ଆଗଭଳି ଭିଡ ହେଉନି କି ବିକ୍ରି ହେଉନି । ଯେଉଁଥିପାଇଁ ଭାଙ୍ଗି ପଡିଛନ୍ତି ଅନେକ ଫୁଟ ପାଥ ବ୍ୟବସାୟୀ ନିଜ ଦୁଃଖ କଥା କହୁକହୁ କାନ୍ଦି ପକାଉଛନ୍ତି । ଲକ ଡାଉନ ପୂର୍ବରୁ ଯେଉଁ ବ୍ୟବସାୟ ହେଉଥିଲା, ସେଥିରେ କଷ୍ଟେମଷ୍ଟେ ଚଳିଯାଆନ୍ତି ପରିବାର ।ହେଲେ ଏବେ ଯାହା ବେପାର ହେଉଛି, ସେଥିରୁ ସାହୁକାରକୁ ଦେଲାପରେ ବଞ୍ଚିବା ପାଇଁ ବି ପାଖରେ ପଇସା ରହୁନି । ତେଣୁ ବାଧ୍ୟ ହୋଇ କେବେ କେବେ ବିସ୍କୁଟ୍ କି ପାଣି ପିଇ ରହିଯାଆନ୍ତି ତ କେବେ ଉପାସ ଶୋଇପଡନ୍ତି ।ସେପଟେ ଲକଡାଉନ ସମୟରେ ସିନା ବଡବଡ ବ୍ୟବସାୟୀମାନେ ବର୍ତ୍ତିଗଲେ ହେଲେ ହଇରାଣ ହୋଇଗଲେ ଛୋଟଛୋଟ ବେପାରୀ । ଅନେକ ଲୋକଙ୍କ ଅବସ୍ଥା ଏବେ ଏମିତି । କାହା ପାଖରେ ପଇସା ନାହିଁ ତ କାହା ଘରେ ଚାଉଳ ନାହିଁ । କରୋନା କଟକଣା ପାଇଁ ୪/୫ ମାସ ହେବ ଲୋକେ ଘରେ ଥିବାରୁ ରୋଜଗାର ହରାଇଛନ୍ତି । ପରିବାର ପୋଷିବାକୁ କିଛି ପନ୍ଥା ନଥିବାରୁ ବଢୁଛି ମାନସିକ ଚିନ୍ତା । ବେରୋଜଗାର ବଢୁଥିବାରୁ ବିଷାଦଗ୍ରସ୍ତ ହେଉଛନ୍ତି ଯୁବପିଢି । ତେବେ ସ୍ଥିତି ସୁଧୁରିଲା ବେଳକୁ ସୁସ୍ଥ ଥିବ ତ ମଣିଷର ମାନସିକ ସ୍ଥିତି ? କରୋନା ପାଇଁ ହୋଇଥିବା କ୍ଷତି ଭରିପାରିବ ତ ମଣିଷ ?


