ନେଟଙ୍ଗା ଗ୍ରାମରେ ନଅ ଦିନ ଧରି ଚାଲିଥିବା “ଶ୍ରୀ ରାମ ନବମୀ” ଯାତ୍ରା ଶେଷ

ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ): ଗଂଜାମ ଜିଲ୍ଲାର ଭଂଜନଗର ସବଡିଭିଜନ ତଥା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ବହୁ ପୁରାତନ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିରରେ ନଅ ଦିନ ଧରି ଚାଲିଥିବା ଶ୍ରୀ ରାମ ନବମୀ ଯାତ୍ରା ଉତ୍ସବ ଆଜି ଶେଷ ହୋଇଯାଇଛି। ପ୍ରାୟ ୪୦୦ ବର୍ଷ ତଳର ଭଞ୍ଜ ବଂଶୀୟ ରାଜାମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ପୁରାତନ ସଂସ୍କୃତି ଓ ଐତିହ୍ୟ ର ପରିଚାୟକ। ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ରାମ ଲାଲାଙ୍କ ଜନ୍ମ ଉତ୍ସବ ସହ ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀ ରାମ ଲାଲାଙ୍କ ପବିତ୍ର ଅଭିଷେକ ଉତ୍ସଵ ଉପଲକ୍ଷେ ମଙ୍ଗଳପୁର ଗ୍ରାମର “ରାମାୟଣ” ନାଟକ ଆଜି ମଞ୍ଚସ୍ଥ ହୋଇଛି। ଆଜିର ଏହି ଯାତ୍ରା ଉତ୍ସବ ରେ ନେଟଙ୍ଗା ଗ୍ରାମ ଓ ନିକଟବର୍ତ୍ତୀ ଗ୍ରାମ ର ହଜାର ହଜାର ଲୋକ ଉପସ୍ଥିତ ରହି ନାଟକ ଉପଭୋଗ କରିଥିଲେ। ନାଟକ ଦଳର ଅତ୍ୟାଧୁନିକ ସାଜସଜ୍ଜା ସହିତ ସୁନ୍ଦର ନାଟକ ପରିବେଷଣ ଆକର୍ଷଣୀୟ ଓ ଅତି ରୋମାଞ୍ଚକର ହୋଇଥିଲା। ବିଭିନ୍ନ ପ୍ରକାରର ଦୋକାନ ବଜାରର ଉପସ୍ଥିତି ପରିବେଶ କୁ ଆହୁରି ଶୋଭା ମୟ କରୁଥିଲା।
ପ୍ରକାଶ ଥାଉକି, ଗତ ୧୭/୪/୨୦୨୪ ତାରିଖ ରେ ପ୍ରଭୂ ଶ୍ରୀ ରାମଚନ୍ଦ୍ର ଙ୍କ ଜନ୍ମଦିନ ବା “ରାମନବମୀ ଉତ୍ସବ” ପାଳନ ହୋଇଥିଲା। ତା’ପର ଦିନ ୧୮ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜିଉଙ୍କ ପହଣ୍ଡି ବିଜେ ରୀତି ଅନୁଷ୍ଠିତ ହୋଇଥିଲା। ୨୪ ତାରିଖ ଦିନ ଶ୍ରୀ ରାମ ଲାଲାଙ୍କ ପବିତ୍ର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୨୫ ତାରିଖ ଦିନ ଗୁରୁବାର ହୋଇଥିବାରୁ ପ୍ରଭୁ ଙ୍କ ନଗର ଭ୍ରମଣ ଶୋଭା ଯାତ୍ରା ବନ୍ଦ ରହିଥିଲା। ତାପରେ ଗତ ୨୬ ତାରିଖ ଶୁକ୍ରବାର ବନବାସ ଯାତ୍ରା, ୨୭ ତାରିଖ ଶନିବାର ଲଙ୍କା ପୋଡ଼ି ଯାତ୍ରା ଓ ରବି ବାର ୨୮ ତାରିଖ ରେ ଶ୍ରୀ ରାମ ଲାଲାଙ୍କ ପବିତ୍ର ଅଭିଷେକ ଉତ୍ସଵ ଅନୁଷ୍ଠିତ ହୋଇଥିଲା। ପ୍ରଭୁଙ୍କ ଏହି ରାଜ୍ୟାଭିଷେକ ଉତ୍ସବ ଉପଲକ୍ଷେ ସୋମବାର ଦିନ ଦିବସ ଯାତ୍ରା ରେ ପ୍ରଭୂ ଶ୍ରୀ ରାମ ଲାଲାଙ୍କ ଉପରେ ଆଧାରିତ ପୁରାଣ ନାଟକ “ରାମାୟଣ” ମଞ୍ଚସ୍ଥ ହୋଇଥିବା ସୂଚନା ମିଳିଛି। ନେଟଙ୍ଗା ଗ୍ରାମରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଉତ୍ସବ ଯାହାକି, “ଶ୍ରୀ ରାମ ନବମୀ ଯାତ୍ରା” ନାମରେ ଅଭିହିତ ତଥା ବିଖ୍ୟାତ। ଏହି ଯାତ୍ରା ଉତ୍ସବ ସମଗ୍ର ଘୁମୁସର ଅଞ୍ଚଳର ଏକ ଐତିହାସିକ ଯାତ୍ରା। ଐତିହ୍ୟ, ସଂସ୍କୃତି ଓ କାଠ କାରୁକାର୍ଯ୍ୟ ପୂର୍ଣ୍ଣ ଏହି ମନ୍ଦିରଟି ସାରା ଗଂଜାମ ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଛି। ପରମ୍ପରା ଭରା ନେଟଙ୍ଗା ଗ୍ରାମର ଏହି ମନ୍ଦିରର ଶ୍ରୀ ରାମ ଲାଲାଙ୍କ ଠାରେ ଲାଗୁଥିବା ପହିଲିଭୋଗ ପାଇବା ପାଇଁ ଏ ଅଞ୍ଚଳର ସମସ୍ତ ଜନସାଧାରଣ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ