ପ୍ରାକୃତିକ ସମ୍ପଦ ସୁରକ୍ଷା ନିମନ୍ତେ ଲୋକ ଅଧିକାର ଯାତ୍ରା ଅନୁଷ୍ଠିତ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ପ୍ରାକୃତିକ ସମ୍ପଦ ସୁରକ୍ଷା ନିମନ୍ତେ ଲୋକ ଶକ୍ତି ଅଭିଯାନ ତରଫରୁ ଗତ ଫେବୃଆରୀ ୨୫ ତାରିଖ ଠାରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ଠାରୁ ବାହାରିଥିବା ଏହି ପଦଯାତ୍ରା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ପଦଯାତ୍ରା ଆଜି ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ପହଞ୍ଚିବା ପରେ ନିୟମଗିରି ସୁରକ୍ଷା ସମିତିର ଶତାଧିକ ସଦସ୍ୟ ମୁନିଖୋଲ ଛକରେ ସ୍ୱାଗତ କରିବା ପରେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦଙ୍କ ସଭାପତିତ୍ବରେ ମୁନିଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ପାରମ୍ପରିକ ବାଦ୍ୟ ସହ ଏକ ସୋଭାଯାତ୍ରାରେ ବାହାରି ଶକଟା ନିକଟ ନିୟୁହୋପ ଫାର୍ମ ହାଉସ ଠାରେ ପହଞ୍ଚିବା ପରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରାରେ ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା,ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନଏପିଏମ)ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ନେତା ଲିଙ୍ଗରାଜ ପ୍ରଧାନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ଡା. ବିଶ୍ୱଜିତ୍ ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରା ଉପରେ ଉଦବୋଧନ ଦେଇଥିଲେ। ଏଥିସହ ନିୟମଗିରି ଆନ୍ଦୋଳନର ଯଥାର୍ଥତାକୁ ସୁପ୍ରିମକୋର୍ଟ ସ୍ୱୀକୃତି ଦେଇଥିବା ବେଳେ ପୁଣି ବେଦାନ୍ତ କମ୍ପାନୀ ଓ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଫନ୍ଦି ଫିକର କରି ନିୟମଗିରିକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି। ସୁପ୍ରିମକୋର୍ଟ ଗ୍ରାମସଭାର ଗୁରୁତ୍ୱକୁ ସ୍ୱୀକାର କରିଥିବା ବେଳେ ଏବଂ ସମ୍ବିଧାନ ତଥା ଜଙ୍ଗଲ ଅଧିକାର ଆଇନରେ ଗ୍ରାମସଭାକୁ ମର୍ଯ୍ୟାଦା ଦିଆଯାଇଥିବା ବେଳେ ସରକାର ଗ୍ରାମସଭାକୁ ଖାତିର ନକରି ଦେଶୀ ବିଦେଶୀ କମ୍ପାନୀ ହାତରେ ସମସ୍ତ ପ୍ରାକୃତିକ ସଂପଦକୁ ଟେକି ଦେଉଛନ୍ତି। ପ୍ରାକୃତିକ ସଂପଦର ଲୁଣ୍ଠନ କରି କୌଣସି ଭାବେ ବିକାଶ ହୋଇପାରିବ ନାହିଁ। ଏହା ବିକାଶ ନାମରେ ବିନାଶ ଲୀଳା ବୋଲି ସେ ଅଭିଯୋଗ କରିଥିଲେ। ଲୋକ ଅଧିକାର ଯାତ୍ରା ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଏବଂ ଜୀବନ ଜୀବିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଆସନ୍ତା ୨୯ ମାର୍ଚ୍ଚରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଲୋକ ଅଧିକାର ସମାବେଶରେ ଯୋଗ ଦେବାକୁ ଏକ ବିକଳ୍ପ ବିକାଶଧାରା ତଥା ବିକାଶ ନୀତି ସଂପର୍କରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଲୋକ ଅଧିକାର ଯାତ୍ରାର ନେତୃବୃନ୍ଦ ମାନେ ଆହ୍ୱାନ ଦେଇଥିଲେ। ବିକାଶ ନାମରେ ଜଳ,ଜମି ଓ ଜଙ୍ଗଲକୁ ଶେଷ କରି ଦିଆନଯାଉ, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବନ୍ଦ ହେଉ,ସମସ୍ତଙ୍କ ପାଇଁ ସମାନ ତଥା ଗୁଣାତ୍ମକ ଶିକ୍ଷା ଓ ସାସ୍ଥ୍ୟ ସେବା ନିଶ୍ଚିତ କରାଯାଉ, କ୍ଷୁଦ୍ର,ମଧ୍ୟମ ଓ କୁଟୀର ଶିଳ୍ପ ଜରିଆରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରାଯାଉ,ଗନ୍ଧମାର୍ଦ୍ଦନ ଠାରୁ ଦେଓମାଳି ପର୍ବତ ପର୍ଯ୍ୟନ୍ତ ଓଡ଼ିଶାର ଆରାବଳୀ ପର୍ବତମାଳାରେ ନୂତନ ବକ୍ସାଇଟ ଖଣି ଖନନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଉ, ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରାଯାଉ ଓ ଆଦିବାସୀ ଦଳିତଙ୍କ ପାଇଁ ଥିବା ସାମ୍ବିଧାନିକ ଅଧୁକାରକୁ କାର୍ଯ୍ୟକାରୀ କରାଯାଉ ବୋଲି ଆଦି ଦାବିକୁ ନେଇ ଲୋକ ଅଧିକାର ଯାତ୍ରା କରାଯାଉଥିବା ଜଣାପଡିଛି। ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ନିୟମଗିରି ସୁରକ୍ଷା ସମିତିର ଉପେନ୍ଦ୍ର ଦ୍ରାବିଡ଼,ଡ୍ରେଞ୍ଜୁ କୃସିକା,ଦଧି ପୁଷିକା, ବିନତି ମାଝୀ, ଦଧି ପୁଷିକା,କୃଷ୍ଣ ସିକକା, ରାଧାମୋହନ ଟାକ୍ରୀ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ