ନେଟଙ୍ଗା ସବୁଜ ବାହିନୀର ଅନନ୍ୟ କାର୍ଯ୍ୟକ୍ରମ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗୁରୁବାର ମା’ ଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ପ୍ରକୃତି ସଂରକ୍ଷଣ କଥାରେ ଅଛି ସ୍ବଚ୍ଛତା ହିଁ ସେବା, ସ୍ଵାସ୍ଥ୍ୟ ହିଁ ସମ୍ପଦ। ପରିବେଶ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ରହିଲେ ରୋଗମୁକ୍ତ ପରିବେଶ ତିଆରି ହୋଇପାରିବ ତଥା ସଂପୂର୍ଣ୍ଣ ଜୀବଜଗତ ସୁସ୍ଥ ସବଳ ରହିପାରିବେ। ଏକ ସ୍ବଚ୍ଛ, ସବୁଜ ଓ ସୁନ୍ଦର ତଥା ସୁସ୍ଥ ପରିବେଶ ସୃଷ୍ଟି ଲକ୍ଷ ନେଇ ଅଣ୍ଟା ଭିଡିଛନ୍ତି ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହିନୀ ଏବଂ ନେଟଙ୍ଗା ଗ୍ରାମବାସୀ। ଆଜି ମାର୍ଗଶିର ମାସ ପବିତ୍ର ଶେଷ ଗୁରୁବାର ବା ମାଣବସା ଲକ୍ଷ୍ମୀ ପୂଜା। ଓଡ଼ିଶାର ପୁରପଲ୍ଲୀ, ସହର ଓ ନଗରର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରତ୍ୟେକ ଓଡିଆଙ୍କ ଏହା ଏକ ପବିତ୍ର ପୂଜା ଉତ୍ସବ। ବର୍ଷକୁ ଥରେ ଜମିରେ ଚାଷ କରାଯାଇଥିବା ଧାନ ଫସଲ ଅମଳ ସମୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ମା’ଙ୍କ ପୂଜାର୍ଚ୍ଚନା ସମୟରେ ଧାନରେ ପ୍ରସ୍ତୁତ ହୋଇଥିବା ଧାନ ଶିଷାର ମାଳ ବା ଧାନମେଣ୍ଟା ବ୍ୟବହୃତ ହୋଇଥାଏ। ଓଡ଼ିଆ ମାନଙ୍କର ପ୍ରତ୍ୟେକ ପୂଜା ପାର୍ବଣ ପ୍ରକୃତି ସହ ସଂପର୍କିତ ତଥା ଜଡ଼ିତ ଏବଂ ପ୍ରାୟ ସମସ୍ତ ପୂଜା ରେ ବିଭିନ୍ନ ପ୍ରକାରର ବୃକ୍ଷ ତଥା ବୃକ୍ଷ ର ପତ୍ର, ଫୁଲ, ଫଳ ଏବଂ ବୃକ୍ଷ ରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପଦାର୍ଥ ଆବଶ୍ୟକ ପଡିଥାଏ। କହିବାକୁ ଗଲେ ପ୍ରକୃତି ମାତା ହିଁ ସବୁ ପୂଜା ର ମୂଳରେ ରହିଥାନ୍ତି ଅର୍ଥାତ୍ ପ୍ରକୃତି ମାତାଙ୍କ ପୂଜା ଅର୍ଚ୍ଚନା ହିଁ ସର୍ବ ଦେବଦେବୀଙ୍କ ପୂଜା। ପ୍ରକୃତି ମାତା ଶାନ୍ତ ହେଲେ ସବୁ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ସେହି କ୍ରମରେ ଅଶାନ୍ତ ପ୍ରକୃତି ଅଥବା ପରିବେଶ କୁ ଶାନ୍ତ କରିବା ଲକ୍ଷ୍ୟ ନେଇ ଆଜି ନେଟଙ୍ଗା ସବୁଜ ବାହିନୀ ବୃକ୍ଷ ଚାରା ରୋପଣ, ବୃକ୍ଷ ସୁରକ୍ଷା ଅଭିଯାନ ଏବଂ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ କରିଛନ୍ତି। ପ୍ରକୃତି ବନ୍ଧୁ ତଥା ବିଜ୍ଞାନ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଧବ ନାୟକ, ପ୍ରଶାନ୍ତ ତ୍ରିପାଠୀ, ରଞ୍ଜିତ ପାତ୍ର, ରାଜେନ୍ଦ୍ର ଲେଙ୍କା, ପ୍ରହଲ୍ଲାଦ ଲେଙ୍କା, ନବ ପାତ୍ର, ପ୍ରଫୁଲ୍ଲ ନାୟକ, ବସନ୍ତ ନାୟକ, ବିଜୟ ଲେଙ୍କା, କାର୍ତ୍ତିକ ନାୟକ, ସଂଗ୍ରାମ ଲେଙ୍କା, ନିହାର ରଞ୍ଜନ ବିଶ୍ଵାଳ, ରବୀନ୍ଦ୍ର ପ୍ରଧାନ, ଶୁଭମ୍ ଯେନା, ଟୁଲୁ ଲେଙ୍କା, ବୁଲୁ ଲେଙ୍କା, କୁମର ନାୟକ, ବାଞ୍ଛାନିଧି ଲେଙ୍କା, ପୂର୍ଣ ସାମଲ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଏବଂ ନେଟଙ୍ଗା ଗ୍ରାମର ଟ୍ୟୁସନର ଛାତ୍ରଛାତ୍ରୀ ତଥା ମହିଳାମାନେ ଅଂଶଗ୍ରହଣ କରି ସାହାଯ୍ୟ ଓ ସହଯୋଗ ଥିଲେ। ପ୍ରକାଶ ଥାଉକି, ନେଟଙ୍ଗା ସବୁଜ ବାହିନୀ ବର୍ଷର ପ୍ରତ୍ୟେକ ପର୍ବପର୍ବାଣୀ, ଜାତୀୟ ଦିବସ, ଜାତୀୟ ଉତ୍ସବ ତଥା ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତିଙ୍କ ପରିବାରଜନଙ୍କ ଜନ୍ମୋତ୍ସବ, ଶ୍ରାଦ୍ଧବାର୍ଷିକୀ, ବିବାହ ଉତ୍ସବ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ବୃକ୍ଷ ଚାରା ରୋପଣ ଭଳି ମହତ୍ କାର୍ଯ୍ୟ କରିଥାନ୍ତି।