ନେଟ୍‌ଫ୍ଲିକ୍ସ ଭଳି ସଂସ୍ଥା ପାଇଁ ମଧ୍ୟ ନିୟମ ଲାଗୁହେବ

ନୂଆଦିଲ୍ଲୀ: ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଭିଡିଓ ଏବଂ ହଟ୍‌ଷ୍ଟାର୍‌ ଭଳି ସଂସ୍ଥା ଏବଂ ଅନ୍‌ଲାଇନ୍ ଖବର ପୋର୍ଟାଲ୍‌ଗୁଡ଼ିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ଅଣାଯାଇଛି। ଏନେଇ ଗତ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦସ୍ତଖତ ଥିବା ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେସବୁକ୍, ଟ୍ବିଟର୍ ଏବଂ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ସାଇଟ୍‌ଗୁଡ଼ିକ ଉପରେ ମଧ୍ୟ ସରକାରୀ ନିୟମ ଲାଗୁ ହେବ। ମନ୍ତ୍ରଣାଳୟ ଅଧୀନକୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଥିବା ସିନେମା, ଅଡିଓ-ଭିଜୁଆଲ୍, ଖବର ଏବଂ ସାମ୍ପ୍ରତିକ ଖବର ଭଳି ବିଷୟବସ୍ତୁ ଆସିବ। ପୂର୍ବରୁ ଏହି ସବୁ ସଂସ୍ଥା ଉପରେ କାହାର ନିୟନ୍ତ୍ରଣ ନଥିଲା । ନେଟ୍‌ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ଭିଡିଓ ଭଳି ସହସ୍ଥାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ସଂକ୍ରାନ୍ତ ଏକ ମାମଲା ଉପରେ ଗତ ମାସରେ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କ ମତ ଲୋଡ଼ିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ର ସରକାର ଏବଂ ଇଣ୍ଟରନେଟ୍ ଆଣ୍ଡ୍‌ ମୋବାଇଲ୍‌ ଆସୋସିଏସନ ଅଫ୍‌ ଇଣ୍ଡିଆକୁ କୋର୍ଟ ନୋଟିସ୍‌ ଜାରି କରିଥିଲେ। ଖବର ପୋର୍ଟାଲ୍ ଓ ଷ୍ଟ୍ରିମିଂ ସେବା ପ୍ରଦାନ କରୁଥିବା ନେଟ୍‌ଫ୍ଲିକ୍ସ, ହଟ୍‌ଷ୍ଟାର୍‌ ଏବଂ ଆମାଜନ୍ ପ୍ରାଇମ୍ ଭଳି ସଂସ୍ଥାକୁ ଲୋକମାନେ ଇଣ୍ଟରନେଟ୍ ଜରିଆରେ ହାସଲ କରୁଛନ୍ତି। ଓଟିଟି ଓ ଷ୍ଟ୍ରିମିଂ ସେବା ପ୍ରଦାନ କରୁଥିବା ସଂସ୍ଥା ଜରିଆରେ ନୂଆ ସିନେମା, ସିରିଜ୍ ରିଲିଜ୍ ହେଉଛି। ଏହି ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ସିନେମା ବା ସିରିଜ୍ ପାଇଁ ସେନ୍‌ସର୍‌ ବୋର୍ଡ ସାର୍ଟିଫିକେଟ୍ ଦରକାର ହେଉନି। ନେଟ୍‌ଫ୍ଲିକ୍ସ ଓ ହଟ୍‌ଷ୍ଟାର୍‌ ଭଳି ପ୍ଲାଟଫର୍ମରେ ଉପଲବ୍ଧ ଥିବା ସିନେମା ଓ ସିରିଜ୍‌ର କେତେକ ଦୃଶ୍ୟକୁ ନେଇ ନାଗରିକ ସମାଜ ଆପତ୍ତି ଉଠାଇଛି। ବିଶେଷ କରି ହିଂସା ଏବଂ ଯୌନ ଉଦ୍ଦୀପକ ଦୃଶ୍ୟକୁ ସେଥିରେ ବଢ଼ାଇ ଚଢ଼ାଇ ପ୍ରଦର୍ଶିତ କରାଯାଉଛି। ସେଗୁଡ଼ିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଦେଶରେ କୌଣସି ଆଇନ ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ