ନେତାଜୀ ବସ ଟର୍ମିନାଲ ର ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
କଟକ,(ଦୀପକ୍ କୁମାର ବେଉରା): ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଖାନନଗର ଠାରେ କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ଏହି କଟକ ମାଟିର ପୁଅ । ଏହି କଟକରେ ଜନ୍ମ ହୋଇଥିଲେ ଓ ବଡ ମଧ୍ୟ ହୋଇଥିଲେ । ଏହି କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା । ତେଣୁ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି । ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ ବୋଲି ସେ କରିଥିଲେ । ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ନେତାଜୀ ବସ୍ ଟର୍ମିନାଲକୁ ଦେଶର ଏକ ମଡେଲ ବସ୍ ଟର୍ମିନାଲ ଭାବରେ ଗଢାଯିବ । ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ। ନେତାଜୀଙ୍କର ଜୀବନୀ ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ ଏବଂ ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ । ଏହି ବସ୍ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନେତାଜୀଙ୍କୁ ଭାରତମାତାର ଅମୂଲ୍ୟ ରତ୍ନ ଭାବରେ ବର୍ଣ୍ଣନା କରି ତାଙ୍କର ଦୃଢ ନେତୃତ୍ବ, ସାହସ ଓ ଅତୁଳନୀୟ ଦେଶଭକ୍ତି ପାଇଁ ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବେ ବୋଲି ବର୍ଣ୍ଣନା କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ।ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ହେବାକୁ ଯାଉଥିବା ଏହି ନୂତନ ବସ୍ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ଏଥିରେ ୧୧,୦୦୦ ବର୍ଗମିଟର ନିର୍ମିତ ଅଞ୍ଚଳରେ ୧୮୦ଟି ବସ୍ ରହିପାରିବ |