ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲେଶ୍ୱର : ସହଦେବଖୁଣ୍ଟାସ୍ଥିତ ମ୍ୟୁନିସିପାଲ୍ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରରେ ମୁଖ୍ୟଅତିଥିଭାବେ ସମାଜସେବୀ ତଥା ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା ଯୋଗଦେଇ ବିଦ୍ୟାଳୟମାନଙ୍କରୁ ପାଠରେ କୃତିତ୍ୱ ହାସଲ କରୁଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସମାଜରେ ଜଣେ ଜଣେ ଭଲ ନାଗରିକ ହୋଇପାରିଲେ ଯାଇ ଶିକ୍ଷାର ପ୍ରକୃତ ଉପଯୋଗ ହୋଇପାରିଛି ବୋଲି ଶ୍ରୀମତୀ ଜେନା ମତ ଦେଇଥିଲେ । ସଭାରେ ଓକିଲ ସଂଘର ପୂର୍ବତନ ଜିଲ୍ଲାସଂପାଦକ ତଥା ସିଭିଲ୍ ସୋସାଇଟିର ସାଧାରଣ ସଂପାଦକ ମନୋଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ଶିକ୍ଷାବିତ୍ ସୁଦର୍ଶନ ଦାସ, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଓ ସ୍ଥାନୀୟ ପୂର୍ବତନ କାଉନସିଲର ତଥା ଉପନଗରପାଳ ଶକୁନ୍ତଳା ସିଂହ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟଗୁଡ଼ିକୁ ଭବିଷ୍ୟତ ପାଇଁ ଭଲ ମଣିଷ ଗଢ଼ିବାର ଦାୟିତ୍ୱ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାପାତ୍ର ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ହରିପଦ ପରିଡ଼ା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାମଞ୍ଚରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ‘ଅରୁଣ ସିଂହ ଏଜୁକେସନାଲ ଫାଉଣ୍ଡେସନ୍‌’ତରଫରୁ ସ୍ୱତନ୍ତ୍ର ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଉମାମଣି ନାୟକ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ସୁଦାମ ବୁଗୁଡ଼ାଇଙ୍କ ନିର୍ଦ୍ଦେଶନାରେ ନାଟକ ‘ମିତ’ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥିଲେ । ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ସମେତ ବହୁ ଅଭିଭାବକ ଓ ସ୍ଥାନୀୟ ଅଧିବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ