ନ୍ୟାୟ ଅପେକ୍ଷାରେ ପକ୍ଷାଘାତ ରୋଗରେ ପୀଡିତା ମୋନାଲିସା
ଛତ୍ରପୁର, (ଦେବଦତ୍ତ ମହାରଣା):ନ୍ୟାୟ ଅପେକ୍ଷାରେ ରହିଛନ୍ତି ପକ୍ଷାଘାତ ରୋଗରେ ପୀଡିତା ମୋନାଲିସା ରଥ । ମୋନାଲିସା ଗତ ୨୦୧୩ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ଭୀଷ୍ମଗିରି ଅଂଚଳର ରାମ ବଲ୍ଲଭ ବକ୍ସିଙ୍କ ପୁଅ ଶକ୍ତି ଶଙ୍କର ବକ୍ସିଙ୍କୁ ବୈଦିକ ରିତିନୀତି ଅନୁଯାୟୀ ବିବାହ କରିଥିଲେ । ସବୁ କିଛି ଠିକ ଠାକ ଚାଲିଥିଲା । ହେଲେ ହଠାତ୍ ତାଙ୍କ ଜୀବନରେ ମାଡି ଆସିଲା କଳା ବାଦଲ । ୨୦୨୦ ମସିହା ଜୁନ୍ ମାସ ୨୪ ତାରିଖରେ ସେ ପକ୍ଷାଘାତ ରୋଗରେ ପୀଡିତ ହେଲେ । ପରେ ମୋନାଲିସାକୁ ମାରିଦେବା ପାଇଁ ତାଙ୍କ ଶ୍ୱଶୁର ଘର ଲୋକେ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ମୋନାଲିସାଙ୍କ ବାପା ତାରାକାନ୍ତ ରଥ । ଏହା ଜାଣିବା ପରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଓ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଏନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ତାରାକାନ୍ତ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ମୋନାଲିସାଙ୍କ ଏକ ଦୁଇ ବର୍ଷର ଝିଅ ରହିଛି । ବର୍ତ୍ତମାନ ମୋନାଲିସା ଏକାକୀ ହୋଇପଡିଛନ୍ତି । ନା ତାଙ୍କ ପାଖରେ ଅଛନ୍ତି ତାଙ୍କ ସ୍ୱାମୀ ନା ଅଛି ତାଙ୍କ ଝିଅ । ପକ୍ଷାଘାତ ରୋଗ ହେବା ପରେ ସ୍ତ୍ରୀକୁ ଛାଡି ଝିଅକୁ ନିଜ ପାଖରେ ରଖିଛନ୍ତି ମୋନାଲିସାଙ୍କ ସ୍ୱାମୀ ଶକ୍ତି । ଦୀର୍ଘ ଦେଢ ବର୍ଷ ହେଲା ମୋନାଲିସା ନିଜ ବାପା ମାଙ୍କ ନିକଟରେ ରୋଗାଗ୍ରସ୍ଥ ହୋଇ ପଡି ରହିଛନ୍ତି । ବର୍ତ୍ତମାନ ମୋନାଲିସା ନିଜ ସ୍ୱାମୀ ଓ ଝିଅଙ୍କ ପାଖକୁ ଯିବା ପାଇଁ ଚାହୁଁଥିବା ବେଳେ ସ୍ୱାମୀ ତାଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ମୋନାଲିସା ।