ନ୍ୟାୟ ଶାନ୍ତିଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏକତା ପରିଷଦ ଜନସଂଗଠନ ତରଫରୁ ଆନ୍ତର୍ଜାତୀୟ ଶାନ୍ତି ଦିବସରେ ଭାରତବର୍ଷର ୧୦୦ ଜିଲ୍ଲାରେ ୧୨୦ଟି ସ୍ଥାନରେ ଆଜି ନ୍ୟାୟ ଶାନ୍ତିଯାତ୍ରା ଆରମ୍ଭ ହୋଇଛି । ଏହି କ୍ରମରେ ବିଶିଷ୍ଟ ଗାନ୍ଧିବାଦୀ ଶ୍ରୀ ପି.ଭି. ରାଜଗୋପାଳ ପାଟନାଠାରେ ଯାତ୍ରାର ଶୁଭ ଉଦ୍‌ଘାଟନ କରି କହିଲେ, ଭାରତବର୍ଷରେ ଶାନ୍ତି ଆଣିବା ପାଇଁ ହେଲେ ସର୍ବପ୍ରଥମେ ନ୍ୟାୟର ସ୍ଥାପନା ହେବା ଜରୁରୀ ଏବଂ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଯୁବସମାଜ, ବୁଦ୍ଧିଜୀବୀ ଏବଂ ରାଜନୈତିକ ବ୍ୟକ୍ତିବିଶେଷମାନେ ଆଗକୁ ଆସିବାର ଆବଶ୍ୟକତା ରହିଛି । ଓଡ଼ିଶାରେ ମଧ୍ୟ ୯ଗୋଟି ଜିଲ୍ଲା ଯଥା : କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗୀର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଯାଜପୁର, ଭୁବନେଶ୍ୱର ସମେତ ୧୦ଗୋଟି ସ୍ଥାନରେ ଏହି ଯାତ୍ରାର ଶୁଭାରମ୍ଭ ହୋଇଛି । ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ପଟିଆଠାରେ ଏକତା ପରିଷଦର ଆବାହକ ଶ୍ରୀ ବିଜୟ ପ୍ରଧାନ ନ୍ୟାୟଯାତ୍ରାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ଯାତ୍ରାରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ, ସରପଞ୍ଚ ପ୍ରଭାତ କୁମାର ସାହୁ, ଅଧ୍ୟକ୍ଷ ପ୍ରଭାତ ଦଳବେହେରା ଏବଂ ଏକତା ପରିଷଦର ଜିଲ୍ଲା ସଂଯୋଜକ ପ୍ରଦୀପ ମାଝୀ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ପ୍ରଧାନ କହିଲେ ଯେ, ଆଜିର ଏହି ମହାନ୍ ଦିବସରେ ଆମକୁ ଶପଥ ନେଇ କାର୍ଯ୍ୟ କରିବାକୁ ପଡ଼ିବ ଯେ, ଗାଁସ୍ତରରୁ ନେଇ ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ସାଧାରଣ ଜନତାଙ୍କୁ ଯଦି ସଠିକ୍ ଭାବରେ ନ୍ୟାୟ ପ୍ରଦାନ କରାଯାଏ, ତେବେ ସମାଜରେ ଶାନ୍ତି ଆସିପାରିବ । ସେଥିପାଇଁ ଆମ ସମସ୍ତଙ୍କୁ ଏକଜୁଟ ହୋଇ ଏକତା ପରିଷଦର ଏହି ଆହ୍ୱାନକୁ ସ୍ୱୀକାର କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହି ଯାତ୍ରା ଆଗାମୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଜାରି ରହିବ ବୋଲି ଆବାହକ ଶ୍ରୀ ପ୍ରଧାନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ