ନୟନଜୋରୀରୁ ଦୋକାନୀର ଶବକୁ ଉଦ୍ଧାର କଲା ପୋଲିସ
ବନ୍ତ, (ଚାନ୍ଦିନୀ ମହାନ୍ତି):ଗୁରବାର ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ପୋଲିସ ବହୁଦରଡା ଛକ ନିକଟସ୍ଥ ଏକ ନୟନଜୋରୀରୁ ଜଣେ ଜଳଖିଆ ଦୋକାନୀର ଶବକୁ ଉଦ୍ଧାର କରିଥିବା ଜଣାଯାଇଛି । ମୃତ ବ୍ୟକ୍ତି ଜଣକ ବହୁ ଦରଡା ଗ୍ରାମର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ନାୟକଙ୍କ ପୁଅ କମଳାକାନ୍ତ(୪୦) ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି । ପୋଲିସର କହିବା ଅନୁଯାୟୀ କମଳାକାନ୍ତ ବହୁ ଦରଡା ଛକ ଠାରେ ଏକ ଜଳଖିଆ ଦୋକାନ କରିଥିଲେ । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କମଳାକାନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ବିଭିନ୍ନ ଆଡେ ଖୋଜାଖୋଜି କରି ପାଇନଥିଲେ । ଗୁରବାର ଅପରାହ୍ନ ସମୟରେ ବହୁ ଦରଡା ଛକ ତଥା ତାଙ୍କ ଦୋକାନ ପଛ ପଟ ନୟନଜୋରୀରେ ଶବ ଭାସୁଥିବା ଦେଖି ସେଠାକାର ଲୋକେ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ପହଞ୍ôଚ ଶବକୁ ଜବତ କରିବା ସହିତ ଶୁକ୍ରବାର ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେସ ନଂ-୫୪/୨୦ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଶୌଚ ହେବାକୁ ଯାଇ ଗୋଡ ଖସି ମୃତ୍ୟୁ ବରଣ କରିଥିବା ପୋଲିସ ଅନୁମାନ କରିଛି । ସମ୍ପୃକ୍ତ ଦୋକାନୀଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାଯାଇଛି ।