ପଞ୍ଚାୟତରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ନେଇ ଜନ ସଚେତନତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ରାଜ୍ୟର ଖାଉଟି ହିତାଧିକାରୀଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ବ ପ୍ରଦାନ କରିଛନ୍ତି।ସୁସ୍ଥ ଓଡିଶା, ସୁଖୀ ଓଡିଶା ଗଠନ ନିମନ୍ତେ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ରାଜ୍ୟର ୩୦ ଟି ଜିଲ୍ଲାରେ ଏହି ଯୋଜନାରେ ସାମିଲ ହୋଇଥିବା ପରିବାରର ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଗ୍ରାଧିକାର ଭିତ୍ତିରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ସୁଯୋଗ ଉପଲବ୍ଧ ଥିବା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ଥାନୀୟ ହିଞ୍ଜିଳିବ୍ଲକ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ବିଶେଷ ଉଦ୍ୟମ ଆରମ୍ଭ ହୋଇଛି।ଏହି କ୍ରମରେ ପିଇଓ କାଳୁ ବେହେରାଙ୍କ ତତ୍ତ୍ୱାବଧାନରେ ଦାରୁଭଦ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନ ସଚେତନତା ବୈଠକ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବିଡ଼ିଓ ସୁବ୍ରତ କୁମାର ଜେନା ଓ ସମ୍ମାନିତ ଅତିଥି ଭାବେ କୃଷକ ସୂଚନା ଓ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଏ ସୁଦର୍ଶନ, ସରପଞ୍ଚ ଏ ସୀତା ଓ ପ୍ରମୁଖ ଯୋଗ ଦେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଥିବା ବିଭିନ୍ନ ଦେୟମୁକ୍ତ ଚିକିତ୍ସା ସୁବିଧା ସମ୍ପର୍କରେ ଅତିଥିମାନେ ହିତାଧିକାରୀଙ୍କୁ ଅବଗତ କରାଇଥିଲେ।ପରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ପ୍ଲାକାର୍ଡ ପ୍ରଦର୍ଶନ ସହ ସାହି ସାହି ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲ।


