ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପ୍ରଭାରୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡାରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଜିମାତ କରିବ ବୋଲି ସେ କହିଛନ୍ତି । ଶ୍ରୀ କାନୁନଗୋ କହିଥିଲେ ଯେ ବର୍ତ୍ତମାନ ଠାରୁ କଂଗ୍ରେସ ଲୋକଙ୍କ ପାଖକୁ ଯିବ । ବିଜେଡି ସରକାରର ସମସ୍ତ ଅସଫଳତା ସମ୍ପର୍କରେ କଂଗ୍ରେସ ନେତାମାନେ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ଅବଗତ କରାଇବେ । ସେ କହିଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ୨୧ ବର୍ଷ ଭିତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ । ଆଜି ସୁଦ୍ଧା ଜିଲ୍ଲାରେ ଗୋଟିଏ ହେଲେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାରେ ସରକାର ସଫଳ ହୋଇପାରି ନାହିଁ । କଂଗ୍ରେସ ସରକାର ଅମଳରେ ସାରା ରାଜ୍ୟରେ ୧୮୦ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଥିଲା । ହେଲେ ଏବେ ସେଥିମଧ୍ୟରୁ ମାତ୍ର ୧୮ଟି କାର୍ଯ୍ୟକ୍ଷମ ଅଛି ବୋଲି କହିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପ୍ରଭାରୀ ଶ୍ରୀ କାନୁନଗୋ । କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସ ଅମଳରେ କୌଣସି ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇ ନ ଥିଲା ବୋଲି ସେ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ ବିଜେଡି ସରକାରଙ୍କ ଅସଫଳତା ବିରୋଧରେ କଂଗ୍ରେସ ଲୋକମାନଙ୍କୁ ବୁଝାଇବ । ଏହି ଉପଲକ୍ଷେ ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେ କହିଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଯେଉଁସବୁ ଉନ୍ନତି ହୋଇଥିଲା ସେଗୁଡିକ କେବଳ କଂଗ୍ରେସ ସରକାର ଅମଳରେ ହିଁ ହୋଇଥିଲା । ଯେପରି ଏକ୍ସପ୍ରେସ ହାଇୱେ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଲାଗିଥିବା ପାରାଦୀପ ବନ୍ଦର ମଧ୍ୟ କଂଗ୍ରେସ ସରକାର ଅମଳରେ ହୋଇଥିଲା । ଆଜିର ଯୁବବର୍ଗଙ୍କ ନିକଟରେ ଏସମ୍ପର୍କରେ କୈାଣସି ସୂଚନା ନାହିଁ । ତେଣୁ କଂଗ୍ରେସ ଗାଁକୁ ଗାଁ ବୁଲି ଯୁବପିଢୀଙ୍କୁ ସଚେତନ କରିବ ବୋଲି ସେ କହିଥିଲେ । ସେ କହିଥିଲେ ବିଜେଡି ସରକାର ଅମଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶେଷ କିଛି ଉନ୍ନତି ହୋଇ ପାରିଲା ନାହିଁ । ଏଠାରେ ମେଡିକାଲ କଲେଜଟିଏବି ପ୍ରତିଷ୍ଠା ହୋଇ ପାରିଲା ନାହିଁ । ଚାଷୀଙ୍କ ପାଖରେ ସାର ନାହିଁ । ସାର ତ ଦୂରର କଥା ଚାଷ କରିବା ପାଇଁ ପାଣି ନାହିଁ । ଏହାର କାରଣ ହେଉଛି ଉଠା ଜଳସେଚନ ବ୍ୟବସ୍ଥାକୁ ଅନେକ ସ୍ଥାନରେ ନିଷ୍କ୍ରିୟ କରି ଦିଆଯାଇଛି । ଏଠାରେ ଛୁଞ୍ଚି କାରାଖାନାଟିଏ ମଧ୍ୟ ହୋଇ ପାରିଲା ନାହିଁ ବୋଲି ସେ କହିଥିଲେ । ଏହି ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀ, ଜଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ପ୍ରମୋଦ ପ୍ରଧାନ, ମହମ୍ମଦ ଆକବର ଅଲ୍ଲୀ, ଉମାଶଙ୍କର ଜେନା, ମୀର ମୂର୍ଶିଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ