ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ କନ୍ଦଳ: ବୃଦ୍ଧଙ୍କୁ ହାଣିଲେ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଞ୍ଚାୟତରେ ପାଞ୍ଚଲକ୍ଷ ଟଙ୍କା ବ୍ୟୟରେ ୨ଟି ପୋଖରୀ ଖୋଳା ଯାଇଥିବା ମିଥ୍ୟା ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଜଣାପଡିଥିଲା । ଯେଉଁ ୨ଟି ପୋଖରୀ ଖୋଳା ଯାଇଥିଲା ବ୍ଲକକୁ ଦର୍ଶାଇ ୫ଲକ୍ଷ ଟଙ୍କା ଉଠାଇ ନିଆଯାଇଥିଲା ସେହି ପୋଖରୀ ୨ଟି ୩ବର୍ଷିଆ ଲିଜରେ ଦିଆଯାଇଥିବା ଗ୍ରାମବାସୀମାନେ କେନ୍ଦ୍ରାପଡା ବି.ଡି.ଓଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ ହେବ ବୋଲି ବି.ଡି.ଓ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ଏହି ୨ଟି ପୋଖରୀ ସମ୍ପର୍କରେ ତଥ୍ୟ ହାସଲ କରିଥିବା ଧୂମାତ ଆଶ୍ରମ ଦଳିତ ସାହିର ଉମାକାନ୍ତ ମଳିକ ଏସମ୍ପର୍କରେ ଗ୍ରାମର ବିଭିନ୍ନ ଛକ ଜାଗାମାନଙ୍କରେ ପୋଷ୍ଟର ମାରିଥିଲେ । ଶୁକ୍ରବାର ଉମାକାନ୍ତ ପୋଷ୍ଟର ମାରୁଥିବା ବେଳେ ଧୂମାତ ପଞ୍ଚାୟତର ସରପଞ୍ଚ ନରହରି ପାଣିଙ୍କ ସମର୍ଥକମାନେ ଉମାକାନ୍ତଙ୍କୁ କଟୁରୀରେ ହାଣିଥିଲେ । ଉମାକାନ୍ତଙ୍କ ସ୍ତ୍ରୀ ରିନାରାଣୀ ଏବଂ ବାପା ଅଦୈତ ଘଟଣା ସ୍ଥଳରେ ପହଞ୍ôଚ ଉମାକାନ୍ତଙ୍କୁ ରକ୍ଷାକରିବାକୁ ଯାଇ ପ୍ରବଳ ଆକ୍ରମଣର ସମ୍ମୁଖିନ ହୋଇଥିଲେ । ଏହି ଆକ୍ରମଣରେ ଉମାକାନ୍ତଙ୍କ ବାପା ଅଦୈତଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି । ଉମାକାନ୍ତ ଏବଂ ତାଙ୍କ ସ୍ତ୍ରୀ ରିନାରାଣୀ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏ ସମ୍ପର୍କରେ ଅଭିଯୋଗ ପାଇ ନିକିରାଇ ଥାନା ପୁଲିସ ଘଟଣାର ତଦନ୍ତ କରୁଛି । ଖବର ପାଇ ପଟ୍ଟାମୁଣ୍ଡାଇ ଏସ୍.ଡି.ପିଓ ସନ୍ଧ୍ୟାରାଣୀ ବେହୁରିଆ ନିକିରାଇ ଥାନାରେ ପହଞ୍ôଚ ଘଟଣା ସମ୍ପର୍କରେ ବୁଝିବା ପରେ ଧୂମାତକୁ ଯାଇ ସାକ୍ଷ୍ୟପ୍ରମାଣ ସଂଗ୍ରହ କରିଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁସାରେ ଅଦୈତ,ତାଙ୍କ ପୁଅ ଉମାକାନ୍ତ ଏବଂ ବୋହୁ ରିନାରାଣୀଙ୍କୁ ଆକ୍ରମଣ କରିଥିବା ଓ ହାଣିଥିବା ହାପି ମଳିକ,ମିଥୁନ ମଳିକ,ଗଗନ ମଳିକ,ରବିନ୍ଦ୍ର ମଳିକ ଓ ବିକାଶ ମଳିକଙ୍କ ବିରୋଧରେ ନିକିରାଇ ଥାନାରେ ଏକ ମାମଲା ଦାୟର ହୋଇଛି । ସୂଚନା ଯୋଗ୍ୟଯେ ଧୂମାତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଗତ କରିବାରେ ନେତୃତ୍ୱ ନେଇଥିବା ଧୂମାତର ୱାର୍ଡ ମେମ୍ବର ମଧୂସୁଦନ ପଣ୍ଡା ଏବଂ ଅନ୍ୟ ଜଣେ ୱାର୍ଡମେମ୍ବରଙ୍କ ସ୍ୱାମୀଙ୍କୁ ଗତ ଅପ୍ରେଲ ମାସ ୩୦ତାରିଖରେ ଆକ୍ରମଣ ହୋଇଥିଲା । ସେ ୨ଟି ମାମଲା ଏପର୍ଯ୍ୟନ୍ତ ନିକିରାଇ ଥାନାରେ ତଦନ୍ତାଧିନ ରହିଛି । ଗତକାଲିର ମାମଲାର ଅଭିଯୁକ୍ତମାନଙ୍କୁ ନିକିରାଇ ଥାନା ପୁଲିସ ଗିରଫ କରିବା ପାଇଁ ଖୋଜୁଛି । ସେମାନେ ଫେରାର ଅଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ଧୂମାତ ପଞ୍ଚାୟତରେ ଚାପା ଉତ୍ତେଜନା ଲାଗି ରହିଛି ।