ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରଳା ଟାୟାର୍ସ କାର୍ଯ୍ୟକ୍ଷମ ପାଇଁ ଗୁହାରୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ଦୀର୍ଘ ଦୁଇବର୍ଷ ଧରି ବନ୍ଦ ରହିଥିବା ବାଲେଶ୍ୱରର ବୃହତ ଶିଳ୍ପାନୁଷ୍ଠାନ ‘ବିରଳା ଟାୟାର୍ସ’ କାର୍ଯ୍ୟକ୍ଷମ ପାଇଁ ନିବେଦନ କରିଛନ୍ତି ବିର୍ଲା ଟାୟାର୍ସ ଶ୍ରମିକ ସଙ୍ଗଠନ ମିଳିତ ମଞ୍ଚ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୭ ଗୋଟି ଶ୍ରମିକ ସଂଗଠନ ନେତାମାନେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବେକାର ହୋଇ ଘରେ ବସିଥିବା୨୦ ହଜାରରୁ ଅଧିକ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱରର ବିକାଶ ଦାୟିତ୍ୱ ନେଇଥିବା ସାଢ଼େ ୪ କୋଟି ଜନତାଙ୍କ ମୁଖିଆ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବିରଳା ଟାୟାର୍ସ ବାବଦରେ ବହୁବାର ଜଣାଇଥିବା ସେମାନେ କହିଥିଲେ । ଏମିତିକି ଗତ ନଭେମ୍ବର ୬ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ବଣ୍ଟନ ପାଇଁ ବାଲେଶ୍ୱର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନଙ୍କ ପକ୍ଷରୁ ସ୍ମାରକପତ୍ର ମଧ୍ୟ ଦିଆଯାଇଥିଲା । ମାତ୍ର ଏ ବାବଦରେ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେ ନାହିଁ । ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବାଲେଶ୍ୱରବାସୀଙ୍କ ସ୍ୱାର୍ଥ ଓ ୨୦ ହଜାର ଶ୍ରମିକଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ବିରଳା ଟାୟାର୍ସକୁ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରମିକ ସଂଗଠନର ନେତାମାନେ ଅନୁରୋଧ କରିଛନ୍ତି । ଶ୍ରମିକ ନେତା ଅରୁଣ ସ୍ୱାଇଁ, ସତ୍ୟନାରାୟଣ ଆଚାର୍ଯ୍ୟ, ଉପେନ୍ଦ୍ର ବେହେରା, ଶିବପ୍ରସାଦ ଦାସ, ଶେଖ ମଇଉଦିନ, ଅଶୋକ ରାଉତ, କ୍ଷୀରୋଦ ବାରିକ, ପଞ୍ଚୁ ଗୋପାଳ କୋଇଲା, ବିରଂଚି ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଆର୍ଯ୍ୟ ମହୁରିଆ, ଚିତ୍ତରଞ୍ଜନ ସାହୁ, ପ୍ରଦୀପ ନାୟକ, ଅଜୟ ବିଶ୍ୱାଳ, ପ୍ରଭାତ ବାରିକ, ରବିନାରାୟଣ ଦାସ, ଦାମୋଦର ମାସନ୍ତ, ଧୀରେନ ମିଶ୍ର, ଚନ୍ଦ୍ରକାନ୍ତ ମାଝୀଙ୍କ ସମେତ ବହୁ ଶ୍ରମିକ ଓ ଶ୍ରମିକ ନେତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।